ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨(Make In Odisha Conclave 2022) । ଭୁବନେଶ୍ବରର ଜନତା ମଇଦାନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଶିଳ୍ପଭିତ୍ତିକ କାର୍ଯ୍ୟକ୍ରମ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେ ଜନତା ମଇଦାନ ପରିଦର୍ଶନ କରିଛନ୍ତି । ଏହାସହିତ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ଲେନେରୀ ହଲ, ବୈଠକ ସ୍ଥାନ, ମିଡ଼ିଆ ଲାଉଞ୍ଜ, ପ୍ରଦର୍ଶନୀ ଷ୍ଟଲ ଓ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରସ୍ତୁତିକୁ ସେ ବୁଲି ଦେଖିଛନ୍ତି ।
ହାଇପ୍ରୋଫାଇଲ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଦ୍ୟୁତ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୨୪ ଘଣ୍ଟା ସତର୍କ ରହିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇଟି ସଂସ୍କରଣ ତୁଳନାରେ ଏଥର ଅଧିକ ନିବେଶ ପାଇଁ ପ୍ରସ୍ତାବ ମିଳିବା ନେଇ ଆଶା ରଖିଛନ୍ତି ସରକାର । ଏଥିପାଇଁ ଭୁବନେଶ୍ୱର ଜନତା ମଇଦାନରେ ଭବ୍ୟ ଆୟୋଜନ କରାଯାଇଛି । ଏଥିରେ ଦେଶ ବିଦେଶରୁ ଶିଳ୍ପପତିମାନେ ଯୋଗ ଦେଇ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ ।
ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡିଓ ଭାଇରାଲ୍ ଘଟଣା, ଗିରଫ ହେଲା ବାଂଲାଦେଶୀ ଯୁବକ
ଏଥି ନିମନ୍ତେ ବ୍ୟବସାୟିକ ନେତୃତ୍ୱ ସମ୍ପର୍କିତ ପାରସ୍ପରିକ ଆଲୋଚନା ସହ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନକୌଶଳରେ ଅଭିନବତ୍ୱ ଆଣିବା, ସିଲ୍ଡ ଇନ ଓଡ଼ିଶା, ଷ୍ଟାର୍ଟ ଅପ୍ ଓଡ଼ିଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା, ଓଡ଼ିଶାର ଶିଳ୍ପ ବିକାଶର ଦକ୍ଷତା ଓ ପୁଞ୍ଜି ନିବେଶ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଇସ୍ପାତ, ଆଇଟି, ପର୍ଯ୍ୟଟନ, ପୋଷାକ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି, ମେଟାଲ ଏବଂ ମେଟାଲ ଡାଉନ୍ଷ୍ଟ୍ରିମ୍ ପ୍ରକଳ୍ପ ନିବେଶ ବୃଦ୍ଧି ପାଇବା ସମ୍ଭାବନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର