ଭୁବନେଶ୍ବର: ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ୫୭ ପ୍ରତିଶତ ଶିକ୍ଷକ ଏବଂ ୫୮ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଛି। ୧୨ ଟି ବିଶ୍ୱବିଦ୍ୟାଳୟରେ ମୋଟ ୨୪୩ ଟି ଶିକ୍ଷକ ପଦବି ମଧ୍ୟରୁ ୧୮୧ଟି ପଦବୀ ଖାଲି ରହିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।
ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତେକ ଜାଣିବାକୁ ଚାହିଁଥିଲେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ କେତେ ଶିକ୍ଷକ ପଦ ଖାଲି ରହିଛି ? କେତେ ଅଣଶିକ୍ଷକ ପଦ ଖାଲି ରହିଛି । ଯେଉଁଠି ଶିକ୍ଷକ ପଦବୀ ଖାଲି ରହିଛି କିଭଳି ଶିକ୍ଷାଦାନ ହେଉଛି ।
ଉତ୍ତରରେ ବିଭାଗୀୟ ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ‘‘ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ୫୭ ପ୍ରତିଶତ ଶିକ୍ଷକ ଏବଂ ୫୮ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଛି । ରାଜ୍ୟର ୧୨ ଗୋଟି ବିଶ୍ୱବିଦ୍ୟାଳୟରେ ମୋଟ ୨୪୩ଟି ଶିକ୍ଷକ ପଦବୀରୁ ୧୮୧ଟି ପଦବୀ ଏବେ ଖାଲି ଅଛି । ସେହିପରି ଅଣଶିକ୍ଷକ ୨ ହଜାର ୬୩୯ଟି ପଦବୀ ମଧ୍ୟରୁ ୧ ହଜାର ୫୩୪ଟି ପଦବୀ ଖାଲି ପଡିଛି ।
ମନ୍ତ୍ରୀ ଆହୁରି କହିଛନ୍ତି ଉଦଘାଟନ ହୋଇଥିବା ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଓ କେନ୍ଦୁଝରର ଧରଣୀଧର ବିଶ୍ବବିଦ୍ୟାଳୟରେ ଗୋଟିଏ ବି ଶିକ୍ଷକ କିମ୍ବା ଅଣଶିକ୍ଷକ ପଦବୀ ଅଦ୍ୟାବଧି ସୃଷ୍ଟି କରାଯାଇନାହିଁ।
ସେହିଭଳି ମନ୍ତ୍ରୀ କହିଛନ୍ତି "ରାଜ୍ୟର ୧୫ ଗୋଟି ବିଶ୍ୱବିଦ୍ୟାଳୟରୁ ଖଲ୍ଲିକୋଟ ବିକ୍ରମଦେବ ଓ ଧରଣୀଧର ବିଶ୍ୱବିଦ୍ୟାଳୟରେ କୌଣସି ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଞ୍ଜୁରୀ ପ୍ରଦାନ କରାଯାଇ ନାହିଁ । ଅବଶିଷ୍ଟ ରାଜ୍ୟର ୧୨ ଗୋଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ କଟକ ସ୍ଥିତ ଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୬ ଗୋଟି ପ୍ରଫେସର, ୧୨ ଗୋଟି ଆସୋସିଏଟ ପ୍ରଫେସର ଓ ୩୨ଗୋଟି ଆସିଷ୍ଟାଣ୍ଟ ପ୍ରଫେସର ମୋଟ ୫୦ ଗୋଟି ପଦବୀ ମଧ୍ୟରୁ ଗୋଟିଏ ବି ପୂରଣ ହୋଇନାହିଁ । କେବଳ ୭ ଜଣ ଅଣଶିକ୍ଷକ ପଦବୀରେ ପାଠ ପଢା ହେଉଛି ।
ତେବେ ମନ୍ତ୍ରୀଙ୍କ ଉତ୍ତର ପରେ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକରେ କେମିତି ଚାଲିଛି ଶିକ୍ଷାଦାନ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ସରକାର ଗୋଟିଏ ପରେ ଗୋଟିଏ ପୁରାତନ କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଉଥିବା ବେଳେ, ଶିକ୍ଷକ ନିଯୁକ୍ତି କରିବାରେ ବିଫଳ ହୋଇଛନ୍ତି । ଏଭଳି ସ୍ଥିତିରେ ଶିକ୍ଷାଦାନ କିଭଳି ହେବ?
ଇଟିଭି ଭାରତ, ଭୁବନେଶ୍ବର