ଭୁବନେଶ୍ବର: ଚୋରି ପାଇଁ ଚୋରର ନୂଆ ଟେକନିକ । ନା କେହି ସନ୍ଦେହ କରିବେ ନା ଜାଣି ପାରିବେ । ନେଲ କଟର ମାଧ୍ୟମରେ ବଡ ବଡ ସପିଂ ମଲରୁ କରୁଥିଲେ ଲୁଟ । ଫିଟଫାଟ ହୋଇ ବିଭିନ୍ନ ସପିଂ ମଲକୁ ଯାଉଥିଲେ । ଏହାପରେ ନିଜ ମନ ପସନ୍ଦର ଡ୍ରେସ, ଜୋତା ଓ ଦାମି ଜିନିଷ ଚୋରି କରୁଥିଲେ ଯୁବକ । କିନ୍ତୁ ଜୋତାରେ ଲାଗିଥିବା ମାଗ୍ନେଟିଗ ଟ୍ୟାଗ ଚୋରକୁ ଧରାପକାଇ ଦେଇଥିଲା । ରାଜଧାନୀର ରାଜମହଲରେ ଥିବା ମାକ୍ସ ସପିଂ ମଲରୁ ଚୋରି କରୁଥିବା ବେଳେ ଏହି ଚୋରକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣଙ୍କ ହେଉଛି ରିତିକ୍ରିଷ୍ଣା ନାଥ । ତାର ଘର କଲିକତା ବିମାନଗର ସାଲିମାର ଅଞ୍ଚଳରେ ବୋଲି ଜଣାପଡ଼ିଛି । ତାଠାରୁ ଦୁଇଟି ଫୁଲ ପ୍ୟାଣ୍ଟ୍ ସହ ତିନୋଟି ସାର୍ଟ ଓ ଗୋଟିଏ ସାପ ପ୍ୟାଣ୍ଟ୍, ଦୁଇ ହଳ ଜୋତା ଓ ନେଲକଟର ଜବତ କରିଛି ପୋଲିସ ।
ଏମିତି ସପିଂ ମଲରୁ ଚୋରି କରୁଥିଲା ଚୋର
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ଫିଟାଫାଠ ହୋଇ ଚୋରି ପାଇଁ ବିଭିନ୍ନ ମଲରେ ପଶିଥାଏ । ଚୋରି ପାଇଁ ପାଖରେ ରଖିଥାଏ ନେଲ କଟର । ପ୍ରଥମେ ସାର୍ଟ ପ୍ୟାଣ୍ଟକୁ ଚୋରି ପାଇଁ ଚୟନ କରିଥାଏ । ଯେଉଁ ସାର୍ଟ ପ୍ୟାଣ୍ଟ୍ ପସନ୍ଦ ଆସିଥାଏ, ସେସବୁରେ ଲାଗିଥିବା ଏକ ମାଗ୍ନେଟିକ୍ ଟ୍ୟାଗ୍ ବା ଏକ ପିନ ପରି ଲାଗିଥିବା ପ୍ଲାଷ୍ଟିକକୁ କୌଶଳର ସହ ନେଲ କଟରରେ କାଟି ଅଲଗା କରିଦିଏ । ଯାହାକୁ କେବଳ ଜିନିଷ କିଣିବା ସମୟରେ ବିଲ ବେଳେ କ୍ୟାସ କାଉଣ୍ଟରରେ ଥିବା କର୍ମଚାରୀ ନିଜେ ମେସିନ ଜରିଆରେ ଅଲଗା କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ-ମୋବାଇଲ ଶୋ ରୁମରୁ ଚୋରି ଘଟଣା, ଜଣେ ଅଭିଯୁକ୍ତ ଗିରଫ
ସେହି ଟ୍ୟାଗକୁ ଅଲଗା କରିବା ପରେ ଚୋରି ଜିନିଷକୁ ନେଇଥିବା ବ୍ୟାଗ ହେଉ ବା କୌଣସି ହେଲମେଟ ଭିତରେ ବା ନିଜେ ପିନ୍ଧି ସପିଂ ମଲରୁ ଚାଲି ଆସେ । ଯାହାକି ମଲରୁ ବାହାରିବା ସମୟରେ ମେଟାଲ ଡିଟେକ୍ଟରରେ ଧରାପଡେନାହିଁ । ଏହି ଚୋର ରାଜ ମହଲରେ ଥିବା ଏକ ସପିଂ ମଲରେ ଚୋରି କରିବା ପାଇଁ ଯାଇଥିବା ବେଳେ ଟି ପ୍ୟାଣ୍ଟ୍ ସାର୍ଟ ସହ ଏକ ଜୋତା ମଧ୍ୟ ଚୋରି କରି ଆଣୁଥିଲା । ଜୋତାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଗ୍ନେଟିକ୍ ଟ୍ୟାଗ୍ ଲାଗି ଥିବାରୁ ଚୋର ଜାଣିପାରି ନଥିଲା । ପରେ ଚୋରି ଜିନିଷ ଓ ଜୋତା ଧରି ବାହାରିବା ବେଳେ ହଠାତ୍ ବିପ ମେସିନ ସାଇରନ ଦେଇଥିଲା । ଯାହାକି ଜୋତାର ଲାଗିଥିବା ଟ୍ୟାଗ୍ ଯୋଗୁଁ ଧରାପଡିଯାଇଥିଲା । ପରେ ସେଠାରୁ ଖସିବାକୁ ଉଦ୍ୟମ ବେଳେ ଶେଷରେ ତାକୁ କାବୁ କରି ପିସିଆରକୁ ଦେଇଥିଲେ ସପିଂ ମଲର ସିକ୍ୟୁରିଟି । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ-ନେଇଗଲେ ୧୮ ଛେଳି, ଖାଲି ଗୁହାଳ ଦେଖି ମାଲିକ ଚେତାଶୂନ୍ୟ
ଏହି ପରି ଢଙ୍ଗରେ ବିଭିନ୍ନ ମଲରୁ ଚୋରି କରି ପରେ ତାକୁ ବିଭିନ୍ନ ବଜାରରେ ଉଠା ଦୋକାନ ଖୋଲି ବିକ୍ରି କରିଥାନ୍ତି । ଅର୍ଥାତ୍ ଚୋରି ସାର୍ଟପ୍ୟାଣ୍ଟକୁ କମ ଦାମରେ ବିକ୍ରି କରି ମାଲେ ମାଲ ହୁଅନ୍ତି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହିପରି ଆଉ କିଛି ଚୋର ବୁଲୁଥିବା ସନ୍ଦେହ କରୁଛି ପୋଲିସ । ତେଣୁ ଏଥିପ୍ରତି ମଲ ବା ଦୋକାନୀ ସାବଧାନ ରହିବା ଆବଶ୍ୟକ । କିଛିଦିନ ତଳେ ନୟାପଲ୍ଲୀର ଏକ ମଲରୁ ଅଣ୍ଟିରେ ଲୁଚାଇ ଚୋରି ବେଳେ କଲିକତାର ମହିଳା ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର