ଖୋର୍ଦ୍ଧା: ପୁଣି ଖୋର୍ଦ୍ଧାରେ ଲୁଟ୍ । ରବିବାର ବାଣପୁର ଥାନା ଠାରୁ ମାତ୍ର 200ମିଟର ଦୂରରେ ଥିବା ଏକ ଗହଣା ଦୋକାନରୁ ଲୁଟେରା 2ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବାଣପୁର ପାଇକସାହି ସାମ୍ନାରେ ସ୍ଥାନୀୟ କୈଳାସ ପାତ୍ରଙ୍କର ଭଗବତୀ ଜୁଏଲାରୀ ଦୋକାନ ରହିଛି । ତେବେ ରବିବାର ତାଙ୍କ ପୁଅ କାଳିଆ ଜୁଏଲାରୀ ଦୋକାନରେ ଥିବା ସମୟରେ ଜଣେ ଗରାଖ ଆସି ଗୋଟିଏ କାନଫୁଲ କିଣି ତାଙ୍କୁ ଅନ୍ୟ ଗହଣା ଦେଖାଇବାକୁ କହିଥିଲେ ।
ସେହି ସମୟରେ କାଳିଆ ଏକ ମୁଣିରେ ଥିବା ପ୍ରାୟ 60 ଗ୍ରାମର ସୁନାଗହଣା କାଢ଼ୁଥିବା ବେଳେ ଗରାଖ ରୂପରେ ଆସିଥିବା ବ୍ୟକ୍ତି ଉକ୍ତ ମୁଣିକୁ ଧରି ତାର ଦୁଇ 2ସହଯୋଗୀଙ୍କ ସହ ଚମ୍ପଟ ମାରିଥିଲେ ।
ଖବର ପାଇ ବାଣପୁର ପୋଲିସ ତଦନ୍ତ ଜାରି ରଖିଛି । ଏପଟେ ଥାନା ଠାରୁ ମାତ୍ର କେତେ ମିଟର ଦୂରରେ ଘଟିଥିବା ଏହି ଘଟଣାକୁ ନେଇ ସାଧାରଣରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ