ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ପୁଣି ବିବାଦ (Lingaraj temple rituals halted) । ନୂଆ ବର୍ଷ ଆରମ୍ଭରୁ ବିବାଦ ଉପୁଜିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି (ରବିବାର)ଠାରୁ ଲଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି । ମଲିଆ ସେବାୟତ ଭୋଗ ଛୁଇଁବା ପରେ ଏହି ଭୋଗକୁ ଭକ୍ତଙ୍କୁ ବିକ୍ରି ହେଉଥିବାକୁ ନେଇ ବିବାଦ ଉପୁଜିଥିବା ଜଣାପଡ଼ିଛି । ନୀତିକାନ୍ତି ସ୍ବାଭାବିକ କରିବା ଲାଗି ମନ୍ଦିର ପ୍ରଶାସନ ଦାବି କରିଥିବା ବେଳେ ବ୍ରାହ୍ମଣ ନିଯୋଗ ଉଚ୍ଚସ୍ତରୀୟ ବୈଠକ ପାଇଁ ଦାବି କରିଛି ।
ମିଳିଥିବା ସୂଚନା ଅନୁସାରେ ଗତକାଲି ୧୦ଟା ସମୟରେ ଭୋଗ ସମୟରେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଥିବାରୁ ଭୋଗ ମାରା ହୋଇଥିଲା । ଆଉ ଏହାକୁ ଘୋର ବିରୋଧ କରିଥିଲେ ବଡୁ ନିଯୋଗ । କିନ୍ତୁ ସବୁବେଳେ ମାରା ଭୋଗକୁ ମହାସୁଆର ସେବାୟତମାନେ ନେଇ ଭକ୍ତଙ୍କୁ ବିକ୍ରି କରିଥିଲେ । ଯାହା ଭକ୍ତଙ୍କୁ କଷ୍ଟ ଦେଇଛି । ଏହାକୁ ନେଇ ଆଜି ଏକ ବୈଠକ ବସିଥିଲା । କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ବୈଠକରେ ଯୋଗ ଦେଉନଥିଲେ ମହାସୁଆର ସେବାୟତ ବା ବ୍ରାହ୍ମଣ ନିଯୋଗ ।
ଏହା ବି ପଢନ୍ତୁ- ନୂଆବର୍ଷରେ କଣ ରହିବ 3 ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ ? ମତ ରଖିଲେ ରାଜନୀତି ସମୀକ୍ଷକ
ସେପଟେ ନୀତିକାନ୍ତିକୁ ସ୍ବାଭାବିକ କରିବା ମନ୍ଦିର ପ୍ରଶାସନ ନିବେଦନ କରିଥିବା ବେଳେ, ଯଦି ସ୍ଥିତି ସ୍ବାଭାବିକ ନ ହୁଏ ତେବେ ଏହି ପ୍ରସଙ୍ଗ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ନେବ ବୋଲି କହିଛନ୍ତି । ଉଚ୍ଚସ୍ତରୀୟ ବୈଠକ ପାଇଁ ଅଡି ବସିଛନ୍ତି ବ୍ରାହ୍ମଣ ନିଯୋଗ ବା ମହାସୁଆର ସେବାୟତ । ଅନ୍ୟପଟେ ରୋଷ ଘର ଭିତରକୁ ଅନିଚ୍ଛାକୃତ ଭାବେ ପଶି ଭୋଗ ମାରା କରିଥିବା ମଲିଆ ସେବାୟତ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର