ଭୁବନେଶ୍ବର: ମହିଳା ସଶକ୍ତିକରଣ ଓ ଜାତିଆଣବାଦର ଗାଥା ବଖାଣୁଥିବା 'ଲକ୍ଷ୍ମୀପୁରାଣ' ବିଶ୍ୱ ଦରବାରରେ ପରିଚିତ ହେବ। କାରଣ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ହିନ୍ଦୀ ଲକ୍ଷ୍ମୀ ପୁରାଣ । ଚଣ୍ଡାଳ ହାତରୁ ଖାଇବାର ପରମ୍ପରାକୁ ନେଇ ମାର୍ଗଶୀର ଗୁରୁବାରରେ ମା' ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା । ଯେଉଁ ପରମ୍ପରାକୁ ନେଇ ଶ୍ରୀମନ୍ଦିରରେ ବିଭିନ୍ନ ଜାତିର ଲୋକ ଏକାଠି ବସି ଅବଢା ଖାଇବାର ପରମ୍ପରା ରହିଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଥାଳିରେ ବସି ମହାପ୍ରସାଦ ଭକ୍ଷଣ କରିବାର ଅନନ୍ୟ ନିଦର୍ଶନ କାହିଁ କେଉଁ କାଳରୁ ରହିଆସିଛି । ଶ୍ରୀମନ୍ଦିରର ଏହି ପରମ୍ପରା ଗୋଟିଏ କଥା କହୁଛି ମହାପ୍ରଭୁଙ୍କ ଆଗରେ ଚଣ୍ଡାଳ ବ୍ରାହ୍ମଣ ସବୁ ସମାନ । ଲକ୍ଷ୍ମୀ ପୁରାଣରେ ଏକଥା ବର୍ଣ୍ଣନା କରାଯାଇଛି ।
ଝିଅ ବୋହୂମାନେ ମାଣବସା ଗୁରୁବାରରରେ ମା' ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । ଝୋଟି ଚିତା ପକାଇ ମା'ଙ୍କ ଆବାହନ କରିବା ସହ ଖିରି ପିଠା ଭୋଗ କରନ୍ତି । ଏହି ପରମ୍ପରାକୁ ଆଧାର କରି ତିଆରି ହୋଇଛି 'ଲକ୍ଷ୍ମୀ ପୁରାଣ ।' ଯେଉଁଥିରେ ଜାତିଗତ ବୈଷମ୍ୟତାକୁ ବାରଣ କରାଯାଇଛି । ପୁରାଣ ଅନୁଯାୟୀ, ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଘର ଛାଡିବାକୁ ପଡିଥିଲା ଓ ଲକ୍ଷ୍ମୀଛଡ଼ା ହୋଇ ବୁଲିବାକୁ ପଡିଥିଲା । ଯାହା ଆମକୁ ଏଠାରେ ମହିଳା ସଶକ୍ତି କରଣର ବାର୍ତ୍ତା ଦେଇଥାଏ । ଏହି କ୍ରମରେ ଜାତିଆଣବାଦ ଓ ମହିଳା ସଶକ୍ତି କରଣର କଥା ଆମ ପୁରାଣରେ ଉଲ୍ଲେଖ ରହିଛି । ଏହାକୁ ବର୍ତ୍ତମାନ ସମାଜରେ ଆମେ ଅନୁକରଣ କରି ସ୍ୱାଧୀନ ଭାରତରେ ସମାନତାର କଥା କହୁଛେ । ତେଣୁ ଆମ ଓଡ଼ିଆଙ୍କ ପୁରାଣ ଆମ ସଂସ୍କୃତି ଓ ପରମ୍ପରା ବହନ କରୁଥିବା 'ଲକ୍ଷ୍ମୀ ପୁରାଣ'କୁ ପ୍ରତିଟି ଓଡ଼ିଆ ମାନନ୍ତି ଆଉ ପାଳନ୍ତି ।
ଏହା ବି ପଢନ୍ତୁ...ଆମାଜନରେ ବିକ୍ରି ହେଉଛି ବୌଦ୍ଧର ବାଉଁଶ ହସ୍ତକଳା, ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମ
ଏହି ପୁରାଣର ମୂଳତତ୍ତ୍ବକୁ ବିଶ୍ୱରେ ପରିଚିତ କରାଇବା ପାଇଁ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ହିନ୍ଦୀ 'ଲକ୍ଷ୍ମୀ ପୁରାଣ' । ଆଗରୁ ଓଡ଼ିଆରେ ଲକ୍ଷ୍ମୀ ପୁରାଣ ଥିବାବେଳେ ଏବେ ଏହାକୁ ଜଣେ ଓଡ଼ିଆ ହିନ୍ଦୀରେ ଗୀତ ପ୍ରସ୍ତୁତ କରି ଭାରତ ବର୍ଷରେ ଆମ ଓଡ଼ିଆ ପରମ୍ପରାକୁ ପହଞ୍ଚାଇବାର ପ୍ରୟାସ କରିଛନ୍ତି । ଯାହାର ଭଏସ ଡବିଙ୍ଗ ଜୟଦେବ ବିହାରର ପ୍ରଶାନ୍ତି ଷ୍ଟୁଡ଼ିଓରେ ଚାଲିଥିବାବେଳେ ଆଉ ଅଳ୍ପ କିଛି ଦିନ ଭିତରେ ଏହା ରିଲିଜ ହେବାକୁ ଯାଉଛି ବୋଲି କହିଛନ୍ତି ଲେଖକ । ତେବେ ଏହି ଗୀତକୁ ଲେଖିଛନ୍ତି ଲେଖକ ଉଦୟନ ସୂପକାର । ଶୃତି ମଧୁର କରିବା ପାଇଁ ଦୁଇ ଓଡ଼ିଆ କଣ୍ଠଶିଳ୍ପୀ ମଧୁସ୍ମିତା ସାହୁ ଓ ଅର୍ଚ୍ଚନା ଦେ ଏହି ଗୀତକୁ ଗାଇଥିବାବେଳେ ଗୀତକୁ ପ୍ରଯୋଜନା କରିଛନ୍ତି ସୁଜିତ ମଢୁଆଳ । "ଏହି ଗୀତରେ ଓଡ଼ିଆ ଲକ୍ଷ୍ମୀ ପୁରାଣର ମୂଳତତ୍ୱରେ କୌଣସି ପରିବର୍ତ୍ତନ ନ କରି ଲେଖାଯାଇଛି । ୧୪ ଅକ୍ଷର ବୃତ୍ତରେ ଗୀତକୁ ସଜାଯାଇଥିବ ବେଳେ ସ୍ୱର ଓ ଗୀତର ରଚନାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ" ବୋଲି କହିଛନ୍ତି ପ୍ରଯୋଜକ ।
ଇଟିଭି ଭାରତ, ଭୁବନେଶ୍ବର