ଭୁବନେଶ୍ବର: ଜିଦ୍ରେ ଅଟଳ କିଡିନୀ ରୋଗୀ । ଉନ୍ନତମାନର ଔଷଧ ଦାବିରେ ଦୀର୍ଘ ଦିନ ହେଲା ରାଜଧାନୀର ସମ୍ବେଦନଶୀଳ ରାସ୍ତାରେ ଧାରଣାରେ ବସିଛନ୍ତି କିଡନୀ ରୋଗୀ । ଦୁଇଦିନ ହେଲା ଏଜି ଛକଠାରୁ ରାଜଭବନର ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଛନ୍ତି(kidney patients on Dharna in Bhubaneswar ) । ଏହାକୁ ନେଇ ଗତକାଲି(ରବିବାର) ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ତେବେ ବର୍ତ୍ତମାନ କିଡନୀ ରୋଗୀଙ୍କୁ ଦିଆଯାଉଥିବା ଔଷଧର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ବୈଠକରେ ନିଷ୍କର୍ଷ ବାହାରିଛି । ସେପଟେ ସରକାର ଉଚିତ ମେଡିସିନ ନଦେଇ ଭୁଲାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।
ଗତକାଲି ବୈଠକରେ ଓଡ଼ିଶା ଷ୍ଟେଟ୍ ମେଡିକାଲ କାଉନ୍ସିଲ ଲିମିଟେଡ (OSMCL) ମାଧ୍ୟମରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ ରହିଥିବା ଉପସ୍ଥିତ ଅଧିକାରୀ କହିଥିଲେ । ବିଶେଷଜ୍ଞ କମିଟି ଓ ରୋଗୀମାନେ ଏହାର ପାର୍ଶ୍ବପ୍ରତିକ୍ରିୟା ବାବଦରେ ଅଭିଯୋଗ କରିନାହାନ୍ତି । ରାଜ୍ୟରେ ଔଷଧ ଯୋଗାଣ କେମିତି ଚାଲିଛି, ସେନେଇ ମୁଖ୍ୟ ଶାସନ ସଚିବ ରବିବାର ସମୀକ୍ଷା କରିଛନ୍ତି । ବୈଠକରେ କିଡ୍ନୀ ରୋଗୀଙ୍କ ପାଇଁ ଦିଆଯାଉଥିବା ଔଷଧ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା ।
ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, "ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ବାରା ସରକାରୀ ଡାକ୍ତରଖାନା ଗୁଡ଼ିକରେ ଖୋଲାଯାଇଥିବା ଔଷଧ ବିତରଣ କେନ୍ଦ୍ର ‘ନିର୍ମାଲ୍ୟ’ରେ ଔଷଧ ପହଞ୍ଚାଇବା ପୂର୍ବରୁ ଏହାର ଗୁଣବତ୍ତା ଯାଞ୍ଚ ଓ ଅନ୍ୟ ପ୍ରକ୍ରିୟା କରାଯାଉଛି । ନିର୍ମାଲ୍ୟ କାଉଣ୍ଟରରେ କିଡ୍ନୀ ରୋଗୀ ଓ କିଡ୍ନୀ ପ୍ରତିରୋପଣ ହୋଇଥିବା ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଔଷଧ ଯୋଗାଇବା ପୂର୍ବରୁ ଏନ୍ଏବିଏଲ୍ ପରୀକ୍ଷାଗାରରେ ଗୁଣବତ୍ତା ଯାଞ୍ଚ କରାଯାଇଥାଏ । ପରୀକ୍ଷାଗାରରେ ଯାଞ୍ଚ ପରେ ଉପଯୋଗୀ ଔଷଧ ହୋଇଥଲେ ତାହା ରୋଗୀଙ୍କୁ ବିତରଣ କରାଯାଇଥାଏ ।"
SCBରେ କିଡ୍ନୀ ପ୍ରତିରୋପଣ ବ୍ୟବସ୍ଥା 2012 ମାର୍ଚ୍ଚରୁ ଆରମ୍ଭ ହୋଇଥିଲା । ଏସ୍ସିବିର ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଆଜି ପର୍ଯ୍ୟନ୍ତ 187 ଜଣ ରୋଗୀଙ୍କ ସଫଳତା ପୂର୍ବକ କିଡ୍ନୀ ପ୍ରତିରୋପଣ କରାଯାଇଛି । ସେହିପରି 120 କିଡ୍ନୀ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ 75 ପ୍ରତିଶତ ରୋଗୀଙ୍କ ମୁତାବକ ଅନୁସାରେ ଓଏସ୍ଏମ୍ସିଏଲ୍ ପକ୍ଷରୁ ଦିଆଯାଉଥିବା ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟାର ସାମ୍ନା କରିନାହାନ୍ତି ।
ସେପଟେ ଆନ୍ଦୋଳନକାରୀ କହିଛନ୍ତି ପୂର୍ବରୁ ଯେଉଁ ଔଷଧ ବିତରଣ କରାଯାଉଥିଲା ସେହି ଔଷଧ ହିଁ ବିତରଣ କରାଯାଉ । କାରଣ ଏବେ ଦିଆଯାଉଥିବା ମେଡିସିନ ଦ୍ବାରା ରୋଗୀଙ୍କ ପ୍ରତି ବିପଦ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର