ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିଛି ଖୋର୍ଦ୍ଧା ପ୍ରଶାସନ । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳି ପ୍ରସ୍ତୁତ ରହିଛି । ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ମହଜୁଦ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବନ୍ୟାଜଳ ଦ୍ବାରା ଚାଷଜମି ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାର ପରବର୍ତ୍ତି ପରିସ୍ଥିତିର ମୁକାବିଲା ପାଇଁ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ।
ଜିଲ୍ଲାରେ ରାଜୁଆ ଓ ଦୟାନଦୀ ପ୍ରଭାବରେ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ବ୍ଲକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ତିନୋଟି ବ୍ଲକର ୧୦ଟି ପଞ୍ଚାୟତର ୧୬ଟି ଗ୍ରାମରେ ବନ୍ୟା ପ୍ରଭାବ ପଡ଼ିଛି । ଏଥିରେ ପ୍ରାୟ ୪୪୯୮ ଜଣ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୮ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରିତ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ କହିଛନ୍ତି । ବାଲିଅନ୍ତାର ୩ଟି ଓ ଖୋର୍ଦ୍ଧା ବ୍ଲକର ୨ଟି ସ୍ଥାନରେ ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ବାଲିପାଟଣା ବ୍ଲକରେ ଏନଡିଆରଏଫ ଓ ଖୋର୍ଦ୍ଧା ବ୍ଲକରେ ଓଡ୍ରାଫ ଟିମ ମୃତୟନ କରାଯାଇଛି । ୮ଟି ଯନ୍ତ୍ରଚାଳିତ ଡଙ୍ଗା ସମେତ ୫୮ଟି ଡଙ୍ଗା ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।
ଏନେଇ ପ୍ରତିକ୍ରିୟାରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି "ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ ଓ ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ନ ପ୍ରସବାମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବାକୁ ବ୍ୟବସ୍ଥା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଓ ଯତ୍ନ ଉପରେ ଗୁରୁତ୍ବ ଦିଆଯାଇଛି । ପଶୁଖାଦ୍ୟ ଓ ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ବିଡିଓ, ତହସିଲଦାର ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।" ଜିଲ୍ଲାରେ ଜରୁରୀକାଳୀନ ସେବା ଅବ୍ୟାହତ ରହିବା ନେଇ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପୂର୍ବରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା