ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ତେବେ କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ସହ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଜି ଖୋର୍ଦ୍ଧା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଡଙ୍ଗରପଡା ଗ୍ରାମରୁ 6 ଜଣ, ଦୂର୍ଗାପୁର ପଞ୍ଚାୟତର ମାନଗୋବିନ୍ଦପୁର ଗ୍ରାମରୁ 3 ଜଣ ତାହା ସହ ବୋତଳମା ପଞ୍ଚାୟତର ଡୋଭା ଗ୍ରାମରୁ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି ।

ଯାହାକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ତିନୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଯେପରି ବାହାର ଲୋକ ଭିତରକୁ ଓ ଅବରୋଧ ଅଞ୍ଚଳରୁ ବାହାରକୁ ନଯିବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି କଣ୍ଟେନମେଣ୍ଟ ଜୋନ ଆଜି (ସୋମବାର) ସନ୍ଧ୍ୟା ୭ଟା ଠାରୁ ଆସନ୍ତା ୨୪ ତାରିଖ ରାତି ୯ଟା ପର୍ଯ୍ୟନ୍ତ ୭ଦିନ ପାଇଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଉପଜିଲ୍ଲାପାଳ । ସେହିପରି ଅବରୋଧ ଅଞ୍ଚଳକୁ ସାନିଟାଇଜ ପାଇଁ ବେଗୁନିଆ ଅଗ୍ନିଶମ ବହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ