ଖୋର୍ଦ୍ଧା: ପୋଲିସର ମନମାନି ଚଲିବ ନାହିଁ ନାରା ଦେଇ ଏସ୍ପଙ୍କ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କଂଗ୍ରେସ । ପୋଲିସର ଦାଦାଗିରିକୁ ବିରୋଧ କରି ଏସ୍ପଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଜିଲ୍ଲା କଂଗ୍ରେସ ଉପସଭାପତିଙ୍କୁ ପୋଲିସର ଆକ୍ରମଣ ଘଟଣାରେ ପୋଲିସ ASIଙ୍କ ନିଲମ୍ବନ ଦାବି କରିଛି କଂଗ୍ରେସ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ ହୋଇଛି । ଜିଲ୍ଲା କଂଗ୍ରେସ ଉପସଭାପତିଙ୍କୁ ପୋଲିସର ଆକ୍ରମଣ ଘଟଣାରେ ତୁରନ୍ତ ମହିଳା ଏସଆଇଙ୍କୁ ନିଲମ୍ବନ ଓ ଗିରଫଦାରୀ ଦାବି କରିଛି କଂଗ୍ରେସ ।
ସୂଚନା ଅନୁଯାୟୀ ଚଳିତ ମାସ 7 ତାରିଖ ମଧ୍ୟାନ୍ନ ସମୟରେ ରାସ୍ତା ଉପରେ ବାଇକ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଥିବା ଦର୍ଶାଇ ପୋଲିସର ଜଣେ ମହିଳା ଏସଆଇ ନୂଆ ବସଷ୍ଟାଣ୍ଡରୁ ରାସ୍ତା ଉପରେ ବେଆଇନ ପାର୍କିଂ ଗାଡିରୁ ଜରିମାନା ଆଦାୟ କରୁଥିଲେ । ଏହି ସମୟରେ ଯୁବ ଆଇନଜିବୀ ତଥା ଜିଲ୍ଲା କଂଗ୍ରେସ ଉପ ସଭାପତି ଶିଳାଦିତ୍ୟ ପଟ୍ଟନାୟକ କାହିଁକି ଗରିବ ଲୋକଙ୍କଠାରୁ ଫାଇନ ଆଦାୟ କରୁଛନ୍ତି ବୋଲି ପୋଲିସକୁ ବାରଣ କରିଥିଲେ।
ସେ କହିଥିଲେ ବଡ଼ବଡ଼ ମଲ୍ ଆଗରେ ବେଆଇନ ପାର୍କିଂ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ । ଏନେଇ ଉଭୟ ସଂପୃକ୍ତ ଏସଆଇ ଓ ଶିଳାଦିତ୍ଯଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ପୋଲିସ ଅଧିକାରୀ ତାଙ୍କ ମୋବାଇଲ ଛଡାଇ ନେବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ । ଏହାର ପ୍ରତିବାଦରେ ରାସ୍ତାରୋକ ମଧ୍ୟ କରିଥିଲେ । ତେବେ ଘଟଣାକୁ ତିନିଦିନ ବିତିଥିଲେ ମଧ୍ୟ ସମ୍ପୃକ୍ତ ମହିଳା ପୋଲିସଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।
ଏହାର ପ୍ରତିବାଦରେ ଆଜି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲା ସଭାପତି ସୁରେଶ ରାଉତରାୟ, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଲିଗାଲ ସେଲ୍ ଅଧ୍ୟକ୍ଷ ସିବାନନ୍ଦ ରାୟଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଖୋର୍ଦ୍ଧା ଅତିରିକ୍ତ ଏସପିଙ୍କୁ ଭେଟି ସମ୍ପୃକ୍ତ ମହିଳା ଏସଆଇଙ୍କୁ ନିଲମ୍ବନ ସହ ଗିରଫଦାରୀ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ କଂଗ୍ରେସ ସହ ଆଇନଜୀବୀ ମଧ୍ୟ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ପିସିସି ଲିଗାଲ ସେଲ୍ ଅଧକ୍ଷ ସିବାନନ୍ଦ ରାୟ । ସେପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ।
ଇଟିଭି ଭାରତ ,ଖୋର୍ଦ୍ଧା