ଖୋର୍ଦ୍ଧା : ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ରାଜ୍ୟର ସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲ ( smart school)ରେ ପରିବର୍ତ୍ତନ କରିଛନ୍ତି ସରକାର । ପ୍ରାୟ 60ଲକ୍ଷ ଟଙ୍କା ବ୍ୟୟରେ ଖୋର୍ଦ୍ଧା ପୋଡାଡିହ ସ୍ମାର୍ଟ ସ୍କୁଲରେ ସ୍ମାର୍ଟ ଶ୍ରେଣୀ ଗୃହ, ଲାଇବ୍ରେରୀ, ବିଜ୍ଞାନାଗାର, ଶୌଚାଳୟ ଭଳି ଅନେକ କିଛି ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଛି । କିନ୍ତୁ ଏହି ଅତ୍ୟାଧୁନିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 428ଜଣ ଛାତ୍ରଛାତ୍ରୀ ପାଠପଢ଼ନ୍ତି । ହେଲେ ଏହି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ସ୍ମାର୍ଟ ସ୍କୁଲରେ ନାହାନ୍ତି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଶିକ୍ଷକ । ଏହି ବିଦ୍ୟାଳୟରେ ମୋଟ 23ଜଣ ଶିକ୍ଷକ ପଦବୀ ଥିବାବେଳେ ଅଛନ୍ତି ମାତ୍ର 14 ଜଣ । ପୁଣି ବିଜ୍ଞାନ, ହିନ୍ଦୀ, ସଂସ୍କୃତ, କଳା ଏବଂ କମ୍ପ୍ୟୁଟର ଶିକ୍ଷକ ପଦବୀ ଫାଙ୍କା ପଡିଛି । ଫଳରେ ସ୍କୁଲକୁ ଆସିଥିବା କମ୍ପ୍ୟୁଟର ଓ ବିଜ୍ଞାନାଗାରକୁ ଉପଯୋଗ କରିପାରୁନଥିବା ଛାତ୍ରଛାତ୍ରୀ କହିଛନ୍ତି ।
ସେପଟେ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଉଦଘାଟିନ କରିଥିଲେ ମଧ୍ୟ ଏହାର କାମ ସରିନଥିବା କାରଣରୁ ଏହି ଅତ୍ୟାଧୁନିକ ଶ୍ରେଣୀଗୃହକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇନଥିବା ଜଣାପଡିଛି । ସେହିପରି ଏହି ସ୍ମାର୍ଟ ସ୍କୁଲ ନିର୍ମାଣରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରିଥିଲେ ମଧ୍ୟ ପୁରୁଣା ଘରେ କେବଳ ରଙ୍ଗ ମାରି ନିମ୍ନମାନର କାମ କରି ଯନ୍ତ୍ରୀ ଓ ଠିକାଦାର ମାଲମାଲ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ