ଖୋର୍ଦ୍ଧା: ବଦଳିଲେ ବେଗୁନିଆ ଥାନା ଅଧିକାରୀ । ଜବତ ମଦ ଓ ବାଣ ଚୋରା ଚାଲାଣ ଅଭିଯୋଗରେ ଥାନା ଅଧିକାରୀଙ୍କ ବଦଳି ହୋଇଛି । ଗତ ଶନିବାର ବାଣ ଓ ମଦ ଜବତ କରିବା ପରେ ରାତିରେ ଥାନାର ପଛ ଗେଟ୍ ଦେଇ କିଛି ପୋଲିସ କର୍ମଚାରୀ ଜବତ ବାଣ ଓ ମଦକୁ ଚୋରା ଚାଲଣ କରୁଥିବାବେଳେ ଗ୍ରାମବାସୀ ସେମାନଙ୍କୁ ଧରିଥିଲେ । ଯାହାକୁ ନେଇ ଚର୍ଚ୍ଚାରେ ଥିଲା ବେଗୁନିଆ ଥାନା । ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବାବେଳେ ଆଜି ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଚୋରା ଚାଲାଣରେ ସାମିଲ ଥିବା ସମ୍ପୃକ୍ତ ଡ୍ରାଇଭର ତଥା ହୋମଗାର୍ଡ ପ୍ରକାଶ ମୁଦୁଲିଙ୍କୁ ରବିବାର ଗିରଫ କରାଯାଇଥିଲା । ତେବେ ଆଜି ଏହି ଘଟଣାରେ ବେଗୁନିଆ ଥାନା ଅଧିକାରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ତେବେ ଏହି ମାମଲାରେ ବେଗୁନିଆ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଦିଆଯାଇଛି ।
ଏହା ବି ପଢନ୍ତୁ...ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ
ସେହିପରି ବେଗୁନିଆ ଥାନାକୁ ବୋଲଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ବଦଳି କରାଯାଇଛି । ଆଉ ବୋଲଗଡ ଥାନାକୁ ଖୋର୍ଦ୍ଧା ଥାନାର ସିଦ୍ଧାମୟୀ ବରାଡଙ୍କୁ ବଦଳି କରାଯାଇଛି । ଜବତ ବାଣ ଓ ମଦକୁ ରାତି ଅଧରେ ଚୋରା ଚାଲାଣ କରିବା ଘଟଣାରେ ଏହିଭଳି ବଦଳି କରାଯାଇଥିବା ଜଣାପଡିଛି । ଅପରପକ୍ଷେ ଘଟଣାର ମୁଖ୍ୟ କାର୍ପେଟଦାର ବୋଲି ଚର୍ଚ୍ଚା ହେଉଥିବା କନେଷ୍ଟବଳ ସିଦ୍ଧେଶ୍ବର ମହାପାତ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ଏହା ବି ପଢନ୍ତୁ...ଚର୍ଚ୍ଚାରେ ଜେଲରଙ୍କ ଉତ୍ପାତ ଭିଡିଓ, ନିଲମ୍ବନ ସହ କୋରାପୁଟ ସର୍କଲ ଜେଲ୍କୁ ବଦଳି
ତେବେ ସିଦ୍ଧେଶ୍ବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କାହିଁକି ଜିଲ୍ଲା ପୋଲିସ ଏ ପର୍ଯ୍ୟନ୍ତ ଚୁପ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଦ୍ଧେଶ୍ଵରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ଜୋର ଧରିଛି । ପୋଲିସ ଅଧିକାରୀଙ୍କ ଏଭଳି ଚୋରା ଚାଲାଣରେ ସଂପୃକ୍ତ ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି ।
ଇଟିଭି ଭାରତ, ଖୋର୍ଦ୍ଧା