ଖୋର୍ଦ୍ଧା: ବେଗୁନିଆରେ ଅଙ୍ଗନବାଡି ସଂଘର ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆସିଛି । ଅଲ ଇଣ୍ଡିଆ ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନ ବେଗୁନିଆ ଶାଖା ପରିଚାଳନା କମିଟିର ଅଗୋଚରରେ ସଂଘର ପୂର୍ବତନ ସମ୍ପାଦିକା ଓ କୋଷାଧ୍ୟକ୍ଷ ଯୁଗ୍ମ ଜମା ବହି ଏବଂ ହାତପାଣ୍ଠିରେ ଥିବା ୨ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି । ଏନେଇ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ସଂଘର ନୂତନ ସଭାନେତ୍ରୀ ।
ସୂଚନା ଥାଉକି, ବେଗୁନିଆ ଅଲଇଣ୍ଡିଆ ଲେଡିଜ ୱାର୍କର୍ସ ଆସୋସିଏସନ ସଂଘ ଦାୟିତ୍ୱରେ ଥିବା ପୂର୍ବ ସମ୍ପାଦିକା ଓ କୋଷାଧ୍ୟକ୍ଷଙ୍କ ନାମରେ ଗୋଟିଏ ଯୁଗ୍ମ ଜମାଖାତା ବେଗୁନିଆ ୟୁକୋ ବ୍ୟାଙ୍କରେ ଶାଖାରେ ଖୋଲା ଯାଇଥିଲା । ସଂଘର ପ୍ରତ୍ୟେକ ସଦସ୍ୟ ଏହି ଜମାଖାତାରେ ମାସିକ ଟଙ୍କା ଜମା କରୁଥିଲେ । କିନ୍ତୁ ସଂଘର ସମ୍ପାଦିକା ସୁକାନ୍ତି ପରିଡା ଓ କୋଷାଧ୍ୟକ୍ଷ ରେଣୁବାଳା ସେଠୀ ଦୁଇ ଜଣ ମିଶି ପରିଚାଳନା କମିଟି ସଦସ୍ଯଙ୍କୁ ନଜଣାଇ ତାଙ୍କର ଜାଲ ଦସ୍ତଖତ ଦ୍ବାରା ବ୍ଯାଙ୍କରୁ ୨୦୨୨ ଅପ୍ରେଲ ୮ତାରିଖରେ ୨୦ହଜାର, ୨୦୨୨ଜୁନ ୮ ତାରିଖରେ ୬୦ହଜାର ଏବଂ ଜୁନ ୧୦ ତାରିଖରେ ୬୦ହଜାର ଏପରି ଭିନ୍ନ ଭିନ୍ନ ତାରିଖରେ ୧ ଲକ୍ଷ ୪୦ହଜାର ଟଙ୍କା ଓ ହାତପାଣ୍ଠି ୬୦ହଜାର ଟଙ୍କା ଅର୍ଥାତ୍ ମୋଟ ୨ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ସଂଘର ନୂତନ ସଭାନେତ୍ରୀ ଅଭିଯୋଗ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ନିସ୍ତୁକ ମାଡ଼: ଅଭିଯୁକ୍ତଙ୍କ ବିରୋଧରେ ଏତଲା
ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ସଂଗଠନର ନିୟମ ମୁତାବକ ଜେନେରାଲ ବଡ଼ି ମିଟିଂରେ ପୁରାତନ କମିଟିକୁ ପରିବର୍ତ୍ତନ କରାଯାଇ ନୂତନ ସଭାନେତ୍ରୀ ଭାବେ ହରପ୍ରିୟା ମଙ୍ଗରାଜ, ସମ୍ପାଦିକା ଦମୟନ୍ତୀ ଜେନା ଓ କୋଷାଧ୍ୟକ୍ଷ ଭାବେ ବାସନ୍ତୀଲତା ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା । ବ୍ୟାଙ୍କ ଜମା ବହିରେ ନାମ ପରିବର୍ତ୍ତନ ସମୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ପୁରୁଣା କମିଟି ସମ୍ପାଦିକା ଓ କୋଷାଧ୍ୟକ୍ଷଙ୍କ ଦସ୍ତଖତ ନ ହେଲେ ନାମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି କହିବାରୁ ତତକାଳୀନ ସମ୍ପାଦିକା ଓ କୋଷାଧ୍ୟକ୍ଷ ଏଥିରେ ସହଯୋଗ କରୁ ନଥିଲେ । ଘଟଣାର ଖୋଳତାଡ଼ ସମୟରେ ଟଙ୍କା ଆତ୍ମସାତର ପର୍ଦ୍ଦାଫାସ ହୋଇଛି । ସେହିପରି ବ୍ୟାଙ୍କ ମଧ୍ୟ କୌଣସି ପ୍ରକାର ଅର୍ଥ ଦେଣନେଣର ସୂଚନା ଦେଉନଥିବା ଅଭିଯୋଗ କରି ଏତଲାରେ ଦର୍ଶାଇଛନ୍ତି ।
ସେପଟେ ତତ୍କାଳୀନ ସମ୍ପାଦିକା ସୁକାନ୍ତି ପରିଡା ଓ କୋଷାଧ୍ୟକ୍ଷ ରେଣୁବାଳା ସେଠୀ ରିଜୋଲ୍ୟୁସନରେ କମିଟିର ଜାଲ ଦସ୍ତଖତରେ ଟଙ୍କା ହଡପ କରିଥିବାର ସଙ୍ଗୀନ ଅଭିଯୋଗ କରିବା ସହ ଥାନାରେ ଏତଲା ଦେଇଛି ସଂଘର ନୂତନ କମିଟି । କିପରି ଦୁଇ ଜଣ ହଡପ ଟଙ୍କା ତୁରନ୍ତ ଫେରସ୍ତ କରିବା ସହ ପୁରୁଣା ରିଜୋଲ୍ୟୁସନ ଖାତା, ବ୍ୟାଙ୍କ ବହି, ବ୍ୟାଙ୍କ ଷ୍ଟେଟମେଣ୍ଟ ଫେରାଇବା ପାଇଁ ପୋଲିସ ପାଖରେ ନିବେଦନ କରିଛନ୍ତି ସଂଘର ନୂତନ ସଭାନେତ୍ରୀ ହରପ୍ରିୟା ମଙ୍ଗାରାଜ, ସମ୍ପାଦିକା ଦମୟନ୍ତୀ ଜେନା ଓ କୋଷାଧ୍ୟକ୍ଷ ବାସନ୍ତୀଲତା ପ୍ରଧାନ । ଏନେଇ ପୂର୍ବତନ ସମ୍ପାଦିକା ଓ କୋଷାଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଖୋର୍ଦ୍ଧା