ଭୁବନେଶ୍ବର: ରାଜଧାନୀରେ ବେଲଗାମ ଅପରାଧ । ଆଇନକୁ ହାତକୁ ନେଉଛନ୍ତି ଜନସାଧାରଣ । କେତେବେଳେ କଙ୍ଗାରୁ କୋର୍ଟ ତ କେତେବେଳେ ରାସ୍ତା ଉପରେ ଆତଙ୍କ । ଖଣ୍ଡାରେ କେକ କାଟୁଛନ୍ତି ଲୋକ ତ କେଉଁଠି ଗ୍ୟାଙ୍ଗଷ୍ଟାର ଷ୍ଟାଇଲରେ ହେଉଛି ଆକ୍ରମଣ। ଏହାରି ଭିତରେ ରାଜଧାନୀର ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରୁ ପୁଣି ସାମ୍ନାକୁ ଆସିଛି ଏକ କଙ୍ଗାରୁ କୋର୍ଟର ଦୃଶ୍ୟ । କମେଣ୍ଟ ମରାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ 3 ଜଣଙ୍କୁ ଆଣ୍ଠେଇଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ବାପା ଏବଂ ପୁଅ ରହିଥିବା ବେଳେ ଅନ୍ୟଜଣେ ସମ୍ପର୍କୀୟ ହୋଇଥିବା ସୂଚନା ରହିଛି ।
ଗାଁ ମଝିରେ ସଭା ବସିବା ସହ ଶହ ଶହ ଲୋକେ ମଧ୍ୟ ଉପସ୍ଥିତ ରହିଛନ୍ତି । ସଭା ମଝିରେ ତିନି ଜଣଙ୍କୁ ଆଣ୍ଠେଇଛନ୍ତି ଲୋକେ । ପୋଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଉଛନ୍ତି ଲୋକେ । ସୂଚନାଅନୁସାରେ, ସ୍କୁଲ ପିଲାଙ୍କୁ କମେଣ୍ଟମରାକୁ ନେଇ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ବରମୁଣ୍ଡା ପାଲାମଣ୍ଡପ ଠାରେ ଏଭଳି ସଭା ଡକାଇ ଏମାନଙ୍କୁ ଶାସ୍ତି ଦେଇଥିବା ଜଣାପଡିଛି । ତେବେ ସବୁଠାରୁ ବଡ କଥା ହେଉଛି ଘଟଣା ସମୟରେ କିଛି ଲୋକ ଉପସ୍ଥିତ ରହି ଫେସବୁକରେ ଲାଇଭ ମଧ୍ୟ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ କିଛି ସମୟର ନିର୍ଯାତନା ପରେ ସମସ୍ତୋ କ୍ଷମା ମାଗିବାରୁ ଗ୍ରାମବାସୀ ଛାଡିଥିବା ସୂଚନା ରହିଛି ।
ଏହି ଘଟଣାପରେ ଅପମାନିତ ଅନୁଭବ କରି ସେମାନଙ୍କ ମଧ୍ୟରୁ ଜଣେ ଘରକୁ ଆସି ଫିନାଇଲ ପିଇ ଦେଇଥିବା ସ୍ଥାନୀୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ଠିକ ରହିଥିବା ଜଣାପଡିଛି।
ତେବେ ବଡ଼ ପ୍ରଶ୍ନ ଗାଁ ସଭା ଆଳରେ ଆଇନକୁ ହାତକୁ ନେବାକୁ ଏମାନଙ୍କୁ ସାହାସ ଦେଲା କିଏ ? ଯଦି ଏଭଳି ପରିସ୍ଥିତିକୁ ସହି ନପାରି କୌଣସି ପଦକ୍ଷେପ ନେଇଥାନ୍ତା ତାହେଲେ କିଏ ଦାୟୀ ରହିଥାନ୍ତା ? ସର୍ବସମ୍ମୁଖରେ ଲୋକଙ୍କ ଗହଣରେ ଏପରି ଅପମାନିତ କରି ରାଜକୀୟ ସଭା ଷ୍ଟାଇଲରେ ବାହୁଡ଼ି ସଭା ପରି ଦଣ୍ଡ ଦେବାକୁ ଗ୍ରାମବାସୀଙ୍କର ସାହାସ କେଉଁଠୁ ଆସିଲା ? ପୋଲିସର ପାଟ୍ରୋଲିଂ ସତ୍ତ୍ବେ ଏହା କିଭଳି ସମ୍ଭବ ହୋଇପାରିଲା ? ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଏହିସବୁ ଚର୍ଚ୍ଚା ହେଇଛି । ଏହି ଘଟଣାକୁ ନେଇ ଭିଡିଓ ଭାଇରାଲ ହେବା ପରେ ଭୁବନେଶ୍ୱର କମିଶନରେଟ୍ ପୋଲିସର ଉପସ୍ଥିତି ଓ ଆକ୍ସନ ନେଇ ପ୍ରଶ୍ନ ଉଠିଛି । ତେବେ ଏଭଳି ଘଟଣା ନୂଆ ନୁହେଁ ଏଥିପାଇଁ ସ୍ଥାନୀୟ ଥାନା ହିଁ ଦାୟୀ ବୋଲି ଲୋକେ ଅଭିଯୋଗ ଆଣୁଛନ୍ତି ।
ନଜର ପକାନ୍ତୁ ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଘଟଣାକ୍ରମେ ଉପରେ
ଗତ ନଭେମ୍ବର ୨୭ତାରିଖ ଏୟାରପୋର୍ଟ ଥାନା ପାଖ ବ୍ୟାଙ୍କ ଅଫ ବରୋଦା ଛକ ନିକଟରେ ଆତଙ୍କ ଖେଳାଇଲେ କିଛି ରାଜନୈତିକ ଗୋଷ୍ଠୀର ଯୁବକ । କିଛି ପିଲା କେରମ ଖେଳୁଥିବା ବେଳେ ଖଣ୍ଡା ଭୁଜାଲି ଧରି ଆକ୍ରମଣ କଲେ। ଏପରିକି ଆକ୍ରମଣରେ କିଛି ଯୁବକ ଲୁହଲୁହାଣ ହୋଇଥିଲେ ।
ସେହିପରି ଗତ ନଭେମ୍ବର ୨୪ତାରିଖ ନୟାପଲ୍ଲୀ ଏନ୍ ୩ରେ ଥିବା ବେହେରାବସ୍ତି ନିକଟରେ ରାସ୍ତା ଉପରେ ଖଣ୍ଡାରେ କେକ କାଟୁଥିଲେ ଯୁବକ । ଯାହାକୁ ନେଇ ବେହେରା ବସ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଲୋକ ଖଣ୍ଡା ବାଡି ଧରି ଆତଙ୍କ ଖେଳାଇଲେ । ଏନେଇ ପୋଲିସ ଭିଡ଼ିଓରେ ଥିବା ଚାରି ଜଣଙ୍କୁ ଗିରଫ କଲା । ଏବେବି ଅପରାଧି ଖୁଲମଖୁଲା ବୁଲୁଛନ୍ତି ।
ସେହିପରି କ୍ୟାପିଟାଲ ଥାନା ଗଙ୍ଗନଗର ଛକରେ ଗତ ନଭେମ୍ବର ୬ତାରିଖରେ କିଛି ଯୁବକ ଆତଙ୍କ ମଚାଇଥିଲେ । ଏନେଇ ଜଣେ ପୋଲିସ ମିତ୍ରର ସମ୍ପୃକ୍ତି ଥିବା ଅଭିଯୋଗ ଆସିଲା । ଥାନାକୁ ପୋଲିସ ମିତ୍ରକୁ ଉଠାଇ ନେଲା ପୋଲିସ । ପରିସ୍ଥିତି ଏପରି ହେଲା ଯେ ଶେଷରେ ପୋଲିସ ଘଟଣାକୁ ରଫାଦଫା କରିଦେଲା । ଅର୍ଥାତ୍ ପୋଲିସ ନୋ ଆକ୍ସନ ପାଇଁ ଶେଷରେ ଅଭିଯୋଗ କରିଥିବା ଗୋଷ୍ଠୀ ମଧ୍ୟରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ଗତ ନଭେମ୍ବର ୧୧ରେ ମଞ୍ଚେଶ୍ବର ଥାନା ଗାଢକଣାରେ ଦୋକାନ ପାଖରେ ଆତଙ୍କ ଖେଳାଇଥିଲେ କିଛି ଯୁବକ । ଲୋକାଲ କର୍ପୋରେଟରଙ୍କ ପୁଅ ଗାଳି ଗୁଲଜ କରି ଆତଙ୍କ ଖେଳାଇବା ସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଘଟଣା ସାମ୍ନାକୁ ଆସିଥିଲା। ଏନେଇ ପୋଲିସ ପାଖରେ ଖବର ଥିଲେ ବି ନୋ ଆକ୍ସନ ଦେଖିବାକୁ ମିଳିଥିଲା।
ଗତ ୪ ତାରିଖରେ ଇନଫୋଭ୍ୟାଲି ଥାନା ଅଞ୍ଚଳର ମଦନପୀର କଲେଜ ଛକ ନିକଟରେ ବିପୁଳ ବଳିୟାରସିଂଙ୍କୁ ଜଣେ ରାଜନୈତିକ ଦଳର ନେତା କୁହାଯାଉଥିବା ଖଣ୍ଡାରେ ଗୋଡ଼ାଇ ଆକ୍ରମଣ କରିବା ସହ ଭୟର ଆତଙ୍କ ଖେଳାଇ ଥିଲେ । ଯାହାକୁ ନେଇ ଆତଙ୍କର ମାହୋଲ ଖେଳିଥିଲା । ଏନେଇ ଅଭିଯୁକ୍ତ ପୁତୁଲକୁକୁ ଖଣ୍ଡା ସହ ଗିରଫ କରିଥିଲା ପୋଲିସ । ହେଲେ ଏମାନେ ଏଭଳି ଆତଙ୍କ ଖେଳାଇ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ସର୍ବସାଧାରଣ ସ୍ଥାନରେ ଆଇନକୁ ହାତକୁ ନେବା ଦାଦାଗିରି ଗୁଣ୍ଡାଗର୍ଦ୍ଦି ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ସାଧାରଣ ନାଗରିକଟିଏ ଅସୁରକ୍ଷିତ ଅନୁଭବ କରୁଥିବା କଥା ସାମ୍ନାକୁ ଆସିଛି ।
ଇଟିଭି ଭାରତ, ଭୁବନେଶ୍ବର