ଭୁବନେଶ୍ବର: ଆନ୍ଦୋଳନକାରୀ ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି । 3 ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ଜାରି ରଖିଛି । ଏହାରି ମଧ୍ୟରେ ଆନ୍ଦୋଳନକୁ ଆସିଥିବା ଶିକ୍ଷକମାନଙ୍କର ତାଲିକା ମାଗିଛନ୍ତି ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ । ଆନ୍ଦୋଳନ ସମୟରେ ଛୁଟି ଆବେଦନ କରିଥିବା ଶିକ୍ଷକମାନଙ୍କ ତାଲିକା ମଗାଯାଇଛି ।
ଛୁଟି ଆବେଦନ କରିଥିବା ଶିକ୍ଷକମାନଙ୍କ ତାଲିକା ଦେବାକୁ CRCCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ BEO । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ଯୋଗ ଦେବା ପାଇଁ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀମାନେ ନଭେମ୍ବର 28 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଛୁଟି ପାଇଁ ଆବେଦନ କରିଥିଲେ ସେମାନଙ୍କର ତାଲିକା ଖୁବଶୀଘ୍ର ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଏନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ କହିଛି ଯେ, "ଯଦି ଏଭଳି ଚିଠି କରି ସରକାର ଶିକ୍ଷକଙ୍କୁ ଧମକାଇବାକୁ ଚାହୁଁଥାନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ । ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଭୁବନେଶ୍ୱରରେ 4 ଦିନ ଆନ୍ଦୋଳନ କରିବା ପରେ ମୁଖ୍ୟ ଶାସନ ସଚିବ ଏକ ହାଇ ପାୱାର କମିଟି ଗଠନ କରିଛନ୍ତି । ଆସନ୍ତା 16 ତାରିଖରୁ 20 ତାରିଖ ଭିତରେ କମିଟି ବସି ସଂଘର ଦାବି ନେଇ ଆଲୋଚନା କରିବ ।"
ଇଟିଭି ଭାରତ, ଭୁବନେଶ୍ବର