ଭୁବନେଶ୍ବର: ଆରମ୍ଭ ହେଲା ଖଣ୍ଡଗିରି ପ୍ରସିଦ୍ଧ ମାଘ ସପ୍ତମୀ ମେଳା । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମେଳା ୯ ଦିନ ଧରି ଚାଲିବ । ରାତିଦିନ ଚାଲିବ ଅଖଣ୍ଡ ଜପ, ସାଧୁସନ୍ଥଙ୍କ ମନ୍ତ୍ରପାଠ, ଧ୍ୟାନ, ତପ, ଗୀତା ଜ୍ଞାନ ଆହୁତି ଓ ନାମ ସଙ୍କୀର୍ତନ ଆହୁତି । ବେଦ ମନ୍ତ୍ରରେ ପ୍ରକମ୍ପିତ ହେବ ସାରା ପରିବେଶ । ଏହାକୁ ନେଇ ବହୁ ପ୍ରତିକ୍ଷୀତ ଖଣ୍ଡଗିରି ମାଘ ମେଳାରେ ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ସମାଗମ ଲାଗିଛି । ସକାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବାପରେ ଅଗ୍ନି ନେଇ ଖଣ୍ଡଗିରିରେ ଧୁନି ସ୍ଥାପନ କରିଛନ୍ତି ସାଧୁସନ୍ଥ । କୋରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଥିବାବେଳେ ଚଳିତ ବର୍ଷ ମାଘ ମେଳାର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ସୁନନ୍ଦା ମାତା, ଡାକ୍ତର ବାବା, ନାଗା ବାବା ଓ ବିଭୁତି ବାବା । ଯେଉଁ ବାବାମାନକୁ ଦେଖିବା ପାଇଁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ ।
ହଜାର ବର୍ଷ ପୂର୍ବରୁ ହେଉଛି ମେଳା: କଳିଙ୍ଗ ସମ୍ରାଟ ମହାମେଘନାଦ ଐର ଖାରବେଳଙ୍କ ସମୟରୁ ଅର୍ଥାତ ହଜାରହଜାର ବର୍ଷ ପୂର୍ବରୁ ଏହି ମେଳା ଅନୁଷ୍ଠିତ ହେଉଛି । କାରଣ ଏଠାକୁ ପ୍ରଥମେ ଜୈନ ସନ୍ଥମାନେ ପୂଜାର୍ଚ୍ଚନା ଓ ଧ୍ୟାନ ପାଇଁ ଆସୁଥିଲେ । କେବଳ ସେତିକି ନୁହେଁ ପାରଳାଖେମୁଣ୍ଡି ରାଜାଙ୍କ ପୁତ୍ର ସନ୍ଥ ଅରକ୍ଷିତ ଦାସ 17 ବର୍ଷର କଷ୍ଟ ସହି ଏଠାରେ ସାଧନା କରିଥିଲେ । ଏଥିପାଇଁ ହଜାର ବର୍ଷ ତଳୁ ଏଠାକୁ ବହୁ ଋଷିମୁନିମାନେ ଆସି ତପସ୍ୟା କରନ୍ତି । ଏହା ହେଉଛି ମା ବାରଭୁଜାଙ୍କ ସାଧନା ପୀଠ । ତେଣୁ ଏଠାରେ ସନ୍ଥମାନେ ଈଶ୍ୱରପ୍ରାପ୍ତି ପାଇଁ ନିଜ ନିଜ ଢଙ୍ଗରେ ଆରାଧନା କରିଥାନ୍ତି । ତେଣୁ ଏହାକୁ ନେଇ ସେପଟେ ପାହାଡ ଉପରେ ଖଣ୍ଡଗିରିର ଆରାଧ୍ୟ ଦେବୀ ମା' ବାରଭୁଜାଙ୍କ ପୂଜା ମଧ୍ୟ ବେଶ ଧୁମଧାମରେ ଚାଲିଛି । ମା' ବାରଭୁଜାଙ୍କ ସମେତ ଶିବଶକ୍ତି ଗାୟତ୍ରୀ ଓ ହନୁମାନଙ୍କ ଆରାଧନା ମଧ୍ୟ କରାଯାଉଛି ।
ମେଳାକୁ ଶୃଙ୍ଖଳିତ କରିବା ପାଇଁ ସହଯୋଗ ଲୋଡ଼ିଲେ ଆୟୋଜକ: ଏହି ସ୍ଥାନରେ ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତା କୁଣ୍ଡ ରହିଛି । ଏହି କୁଣ୍ଡରେ ସନ୍ଥମାନେ ସ୍ନାନ କରିଥାନ୍ତି ଓ ଏହି କୁଣ୍ଡରୁ କଳସ ଯାତ୍ରା ପାଇଁ ପାଣି ଆଣି ପୂଜା ବିଧି ଆରମ୍ଭ କରିବା ସହ ଧୁନି ବା ଅଗ୍ନି ସଂଯୋଗ କରିଥାନ୍ତି । ଏଠାରେ ଦେଶ ବିଦେଶରୁ ବାବା ଆସୁଥିବାବେଳେ ଚଳିତ ବର୍ଷ ଓଡ଼ିଶା, ଗୁଜୁରାଟ ଓ ହରିଦ୍ୱାରରୁ ନାଗା ସନ୍ଥମାନେ ଆସିଛନ୍ତି । ତେବେ ଏହି ମେଳା ଏକ ଐତିହାସିକ ମେଳା ହୋଇଥିବାବେଳେ ଏଠାରେ ବିଶ୍ୱର କଲ୍ୟାଣ ପାଇଁ ହୋମ ଯଜ୍ଞ ଓ ଆହୁତି ଦିଆଯାଇଥାଏ । ଏବେଠାରୁ ବାବାମାନେ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ପରେ ଆଜି ରାତିରେ ଜାଗମରାରେ ଥିବା ନୃସିଂହନାଥ ଗାଁ ପରିକ୍ରମା କରି ଆସିବେ ଓ ଏଠାରେ ଆସି ପୂଜା ପାଇବେ । ଏନେଇ ସମସ୍ତ ପ୍ରକାର ବ୍ୟାବସ୍ଥା ସହ କଟକଣାମୁକ୍ତ ମେଳା ହୋଇଥିବାରୁ ଲୋକଙ୍କର ଅନେକାଂଶରେ ଭିଡ ଲାଗିବ ବୋଲି କହିଛନ୍ତି ଆୟୋଜକ । ତେଣୁ ପ୍ରଶାସନ, ବିଏମସି ଓ ସମସ୍ତ ଦୋକାନୀଙ୍କ ସହଯୋଗ ଲୋଡିଛନ୍ତି ଆୟୋଜକ । କାରଣ ସମସ୍ତଙ୍କ ସହଯୋଗ ହିଁ ମେଳାକୁ ଶୃଙ୍ଖଳିତ କରିବା ସହ ମେଳାର ଶୋଭା ବଢାଇବା ବୋଲି ସେ କହିଛନ୍ତି ।
ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା: ଅନ୍ୟପଟେ କାହଁଡଗିରି ମେଳା ସହ ଅପେରା ବା ଯାତ୍ରା ହେବାକୁ ଥିବାବେଳେ ଏହାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ 7 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେଥିରୁ 2 ପ୍ଲାଟୁନ୍ ଫୋର୍ସ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବାବେଳେ ଅନ୍ୟ 5 ପ୍ଲାଟୁନ ଆଇନ ଶୃଙ୍ଖଳା ପାଇଁ ରହିବେ । ଏଥିସହ ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା 5ଟି ସ୍ଥାନରେ କରାଯାଇଛି । ଏହାକୁ କିଭଳି ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରାଯିବ ସେନେଇ ପୋଲିସ ପକ୍ଷରୁ ତିଆରି ହୋଇଛି ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ । ସିସିଟିଭି ରାଡାରରେ ରହିଛି ସମସ୍ତ ଅଞ୍ଚଳ । ଏହାସହ 30 ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଅପେରା । ଚଳିତବର୍ଷ 6ଟି ଅପେରାକୁ ମିଳିଛି ଅନୁମତି । ରାତି 10ରୁ ସକାଳ 6 ପର୍ଯ୍ୟନ୍ତ ହେବନି ଅପେରା ପ୍ରଚାର । ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଖଣ୍ଡଗିରି, ଉଦୟଗିରିକୁ ଯାଉଥିବା ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଚଳ ବନ୍ଦ ରହିବ । ଅତ୍ୟନ୍ତ ଆବଶ୍ୟକସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପାସ ଦିଆଯିବ ବୋଲି କହିଛନ୍ତି ଜୋନ ୩ ଏସିପି ରଜତ କୁମାର ରାୟ ।
"ପରମ୍ପରା ମୁତାବକ ଚାଲିବ କୁମ୍ଭ ମେଳା": ସେହିପରି ଭୁବନେଶ୍ୱର ମେୟର କହିଛନ୍ତି, "ପରମ୍ପରା ମୁତାବକ ଚାଲିବ ଖଣ୍ଡଗିରି କୁମ୍ଭ ମେଳା । ଲୋକଙ୍କ ସମାଗମକୁ ବିଜୁଳି, ପିଇବା ପାଣି ଭଳି ଅନେକ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି । ଦୋକାନ ଓ ଅପେରା ପାଇଁ ଅନୁମତି ଦିଆସରିଛି । ଅପେରାଗୁଡିକ ବିଏମସିର ମାର୍ଗଦର୍ଶିକା ମୁତାବକ ଯାତ୍ରା କରିବେ । ଏହାସହ କଟକଣା ନଥିବାରୁ ଲୋକଙ୍କ ଭିଡକୁ ନଜରରେ ରଖି 7ଟି ସ୍ଥାନରେ ଭିଡ ନିୟନ୍ତ୍ରଣ ପାଇଁ ପର୍କିଂ ବ୍ୟବସ୍ଥା କରାଯାଇଛି । ଏଥର ବିଶେଷ ଭାବେ ମେଳାରେ ସ୍ୱଛତାକୁ ବେଶୀ ଧ୍ୟାନ ଦିଆଯାଇଛି । ତେଣୁ ଏହି ସବୁ ସୁବିଧା ସୁଯୋଗ ଉପଲବ୍ଧ ପାଇଁ ବିଏମସି ପକ୍ଷରୁ 24 ଗୋଟି କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି । ଯାହାର ଯାହା ଅସୁବିଧା ରହିବ ସେମାନେ ଏହି କଣ୍ଟ୍ରୋଲ ରୁମକୁ ଜଣାଇ ପାରିବେ ।" ତେବେ ସାଧୁସନ୍ଥଙ୍କ ହୋମ, ପୂଜାପାଠ ଓ ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ବିଏମସି ପକ୍ଷରୁ ସମସ୍ତ ସୁବିଧା କରାଯାଇଥିବା କହିଛନ୍ତି ଭୁବନେଶ୍ୱର ମେୟର ।
ଦୁଇ ବର୍ଷର କୋରୋନା କଟକଣା ପରେ ମାଘମେଳା ଧୁମଧାମରେ କରିବାକୁ ସମସ୍ତେ ଅଣ୍ଟା ଭିଡିଥିବା ବେଳେ ବିଏମସିର ଗାଇଡଲାଇନ ମୁତାବକ ଚାଲିଛି ମେଳା । ଏନେଇ ପୋଲିସ ପ୍ରଶାସନ ସଜାଗ ଥିବାବେଳେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ତେଣୁ 9 ଦିନ ଧରି ଚାଲିଥିବା ଏହି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ବିଶ୍ୱର କଲ୍ୟାଣ ସହ ପ୍ରତିଟି ଭକ୍ତଙ୍କର ମନସ୍କାମନା ପୁର୍ଣ୍ଣ ହେଉ ବୋଲି କାମନା କରିଛନ୍ତି ଉପସ୍ଥିତ ସାଧୁସନ୍ଥ ।
ଇଟିଭି ଭାରତ, ଭୁବନେଶ୍ବର