ଖୋର୍ଦ୍ଧା: ଜିଲ୍ଲାରେ ପାଇକ ଦାୟାଦମାନଙ୍କ ଦ୍ବାରା ପାଳିତ ହୋଇଯାଇଛି ପାଇକ ସ୍ମାରକୀ ଦ୍ବିତୀୟ ବର୍ଷ (Paika Memorial Foundation) । ଜାତୀୟ ସ୍ତରରେ ଓଡ଼ିଶା ସ୍ବାଭିମାନର ପ୍ରତୀକ ୧୮୧୭ ମସିହା ବ୍ରିଟିଶ ଶାସନ ବିରୋଧୀ ଗଣ ବିପ୍ଳବ ‘ପାଇକ ବିଦ୍ରୋହ’ (Paika Rebellion) ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ୧୮୩୬ ମସିହା ପର୍ଯ୍ୟନ୍ତ ଚାଲିଥିବାରୁ ଏହି ସଂଗ୍ରାମ ଦେଶର ଦୀର୍ଘତମ ସ୍ବାଧୀନତା ସଂଗ୍ରାମ ତଥା ପ୍ରଥମ ସ୍ବାଧୀନତା ସଂଗ୍ରାମରୂପେ ବିବେଚିତ ହୋଇଛି ।
ଏହି ସଂଗ୍ରାମର ବ୍ୟାପକତା ଏବଂ ଗଭୀର ଦେଶପ୍ରେମ ଜାତୀୟତା ବୋଧକୁ ଉପଲବ୍ଧ କରି କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ମିଳିତ ଭାବରେ ‘ପାଇକ ବିଦ୍ରୋହ’ରେ(Paika Rebellion) ଜନ୍ମମାଟିର ସ୍ଵାଧୀନତା ରକ୍ଷା ପାଇଁ ନିଜର ପ୍ରାଣବଳି ଦେଇ ଶହୀଦ ହୋଇଥିବା ବୀର ସନ୍ତାନମାନଙ୍କ ଜାତୀୟ ସ୍ମୃତିସ୍ତମ୍ଭ ‘ପାଇକ ସ୍ମାରକୀ ସ୍ତମ୍ଭ’ ନିର୍ମାଣ ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେବେ ଆଜି କଳିଙ୍ଗ ପାଇକ ସଂଗଠନ(Kalinga Paika Association) ପକ୍ଷରୁ ପାଇକ ସ୍ମାରକୀ ଶିଳାନ୍ୟାସର ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ବିଭିନ୍ନ ଦଳର ନେତା ଏବଂ ଅନ୍ୟାନ୍ୟ ପାଇକ ସଂଗଠନ ଯୋଗଦେଇଥିଲେ। ଏହାସହ ପାଇକମାନଙ୍କ ଦ୍ବାରା ପାଇକ ଆଖଡା ପ୍ରଦର୍ଶନ ହୋଇଛି ।
1817 ମସିହାରେ ହୋଇଥିବା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଏଥିରେ ଦାବି ହୋଇଛି । ବୀର ପାଇକମାନଙ୍କର ସ୍ମୃତିକୁ ଉଜ୍ଜିବୀତ ରଖିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ୨୦୧୯ ଡିସେମ୍ବର ୮ ତାରିଖରେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ସେହି କାର୍ଯ୍ୟ ଆରମ୍ଭ ହୋଇନାହିଁ। କିନ୍ତୁ ଆଜି ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପାଇକମାନଙ୍କ ଦାୟାଦଙ୍କୁ ସମ୍ମାନିତ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ