ଭୁବନେଶ୍ବର: ବିଜେପିର କେନ୍ଦ୍ରୀୟ ନେତାଙ୍କ ଫୋକସରେ ନାହିଁ କି ଓଡ଼ିଶା ? କାହିଁକି ବଡ଼ ବଡ଼ ନେତା ଓଡ଼ିଶା ଆସୁନାହାନ୍ତି ? ଗତ ନିର୍ବାଚନ ବେଳେ 8ଥର ଆସିଥିବା ବେଳେ 2019 ନିର୍ବାଚନ ପରେ ଓଡିଶାରେ ମୋଦିଙ୍କ ରାଜନୈତିକ କାର୍ଯ୍ୟକ୍ରମ ଶୂନ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଆସୁନାହାନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କେନ୍ଦ୍ରୀୟ ନେତାଙ୍କ ଫୋକସରେ ନାହିଁ କି ଓଡ଼ିଶା । ଏ ନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ ରାଜ୍ୟରେ ବିଜେପିର ଅଭିବୃଦ୍ଧି ହୋଇନାହିଁ । ଓଡିଶା ବିଜେପି ବିଜେଡି ବିରୋଧରେ ଲଢୁଛି ଏ ଧାରଣା ତିଆରି ହୋଇନାହିଁ । କେବଳ କେନ୍ଦ୍ରୀୟ ନେତା ଆସିଲେ ଏହି ଧାରଣା ତିଆରି ହୋଇପାରିବ ବୋଲି ସେ କହିଛନ୍ତି ।
ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "2019 ପରେ ରାଜ୍ୟରେ ବିଜେପିର ଅଭିବୃଦ୍ଧି ହୋଇନାହିଁ । ରାଜ୍ୟରେ 30 ପ୍ରତିଶତ ଭୋଟ ବିଜେପିର ହୋଇଗଲାଣି । ଭୋଟ ପୋଲାରାଇଜେସନ ହେଉଛି । କଂଗ୍ରେସର କିଛି କର୍ମୀ ମଧ୍ୟ ସାମିଲ ହୋଇଛନ୍ତି । ଓଡିଶାରେ ବିଜେପିର ଯାହା ଅଭିବୃଦ୍ଧି ହୋଇଛି ତାହା କେନ୍ଦ୍ରୀୟ ନେତା କରିଛନ୍ତି । ଓଡିଶା ବିଜେପି ବିଜେଡି ବିରୋଧରେ ଲଢୁଛି ଏ ଧାରଣା ତିଆରି ହୋଇନାହିଁ । କେବଳ କେନ୍ଦ୍ରୀୟ ନେତା ଆସିଲେ ଏହି ଧାରଣା ତିଆରି ହୋଇପାରିବ । କେନ୍ଦ୍ର କଥା । ତେବେଳେ ଆସୁଛି ବିଜେପି ଆଗରେ ରହୁଛି କିନ୍ତୁ ରାଜ୍ୟ କଥା ଆସିବା ବେଳକୁ ବିଜେପି ପଛରେ ପଡିଯାଉଛି । ଡବଲ ଇଞ୍ଜିନ ସ୍ଲୋଗାନ କାମ ଦେଉନାହିଁ । ସମସ୍ତ ଉପ ନିର୍ବାଚନକୁ ଦେଖିଲେ ଏହା ସ୍ପଷ୍ଟ ଯେ ବିଜେପିର 2019 ତୁଳନାରେ ଅଭିବୃଦ୍ଧି ଘଟିନାହିଁ ।"
ଏହା ବି ପଢନ୍ତୁ- 2024 Election: ଓଡ଼ିଶାରେ କାହିଁକି ଖସିଲା ବିଜେପି ଟାର୍ଗେଟ୍ ?
ଜବାବରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, "ବିଜେପିର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ବିଭିନ୍ନ ସମୟରେ କେନ୍ଦ୍ରର ମନ୍ତ୍ରୀମାନେ ଓଡ଼ିଶା ଗସ୍ତ କରି ଲୋକଙ୍କ ସହ ଆଲୋଚନା କରୁଛନ୍ତି । ନିକଟରେ ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ସରିଛି । କେବଳ ଅମିତ ଶାହଙ୍କ ଗସ୍ତ ବାତିଲ ହୋଇଥିଲା । ତେବେ ଯାହା ହେଉନା କାହିଁକି ବିଜେପିର କେନ୍ଦ୍ରୀୟ ନେତୃବର୍ଗଙ୍କ ଫୋକସରେ ଓଡ଼ିଶା ରହିଛି । ମୋଦି ସରକାରଙ୍କ 9ବର୍ଷର ବିକାଶର ଚିତ୍ରକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି କେନ୍ଦ୍ରୀୟ ନେତା । ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି । 2024 ନିର୍ବାଚନରେ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିବ । ଯେତେବେଳେ ନିର୍ବାଚନୀ ଫଳାଫଳ ଆସିବ ସେଥରେ ଜଣାପଡିବ ବିଜେପି ସରକାର ଓଡ଼ିଶା ପାଇଁ କଣ କରିଛି ? କି ଆଭିମୁଖ୍ୟ ନେଇ ମୋଦି ସରକାର ଓଡ଼ିଶା ପାଇଁ କାମ କରୁଛନ୍ତି ।"
ସେପଟେ ପାଖେଇ ଆସିଲାଣି 2024 ନିର୍ବାଚନ । ବିଜେଡି ସାଂଗଠନିକ ସ୍ତରରେ ଜୋରସୋରରେ ଲାଗି ପଡିଛି । ନୂଆ ଜିଲ୍ଲା ସଭାପତିଙ୍କୁ ଦାୟିତ୍ବ ହସ୍ତାନର କରିଛି । ଏପଟେ ଗୌହାଟିରେ ବିଜେପିର କେନ୍ଦ୍ର ନେତୃତ୍ବ ରଣନୀତି ପ୍ରସ୍ତତ କରିଚି । ରାଜ୍ୟ ସଭାପତି ମନମୋହନ ସାମଲ ସେଠାରୁ ଫେରିବା ପରେ କହିସାରିଲେଣି 147 ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ । ଦେଖିବାର କଥା କେନ୍ଦ୍ରୀୟ ନେତାଙ୍କ ଓଡିଶାକୁ ଅବହେଳା ଭିତରେ ବିଜେପି ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡି ସହିତ କେମିତି ଲଢୁଛି ।
ଇଟିଭି ଭାରତ, ଭୁବନେଶ୍ବର