![ଇନ୍ଫୋସିସ ବିପିଏମ ସେଣ୍ଟରର ଶୁଭାରମ୍ଭ](https://etvbharatimages.akamaized.net/etvbharat/prod-images/10-08-2023/od-bbsr-02-new-bpm-7209787_10082023153239_1008f_1691661759_219.jpg)
ଭୁବନେଶ୍ବର: ଆଜି ଉଦଘାଟିତ ହୋଇଛି ବିପିଏମ ଶାଖା ବା ଇନ୍ଫୋସିସ୍ର ନୂତନ ବିଜ୍ନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର । ଭୁବନେଶ୍ବର ପଟିଆସ୍ଥିତ ଇନ୍ଫୋସିସ୍ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହା ଉଦଘାଟିତ ହୋଇଛି । ତେବେ ବିପିଏମ୍ ଶାଖା କାର୍ଯ୍ୟକ୍ଷମ ହେଲେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । କାର୍ଯ୍ୟକ୍ରମରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉପାଦେଷ୍ଟା ଅନୁଭବ ପଟ୍ଟନାୟକ, 5ଟି ସଚିବ ଭି.କେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
![ଇନ୍ଫୋସିସ ବିପିଏମ ସେଣ୍ଟରର ଶୁଭାରମ୍ଭ](https://etvbharatimages.akamaized.net/etvbharat/prod-images/10-08-2023/od-bbsr-02-new-bpm-7209787_10082023153239_1008f_1691661759_276.jpg)
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ବିଗତ ଦୁଇ ଦଶନ୍ଧି ଧରି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ତୀବ୍ର ଗତିରେ ବିକାଶ କରି ଚାଲିଛି ଓଡ଼ିଶା । ଏହାଦ୍ବାରା ରାଜ୍ୟର କାୟାକଳ୍ପ ବୃଦ୍ଧି ଘଟିବା ସହ ଆତ୍ମବିଶ୍ବାସର ଏକ ନୂଆ ପରିଭାଷା ସୃଷ୍ଟି ହୋଇପାରିଛି । ବିଶେଷକରି ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି ଇନ୍ଫୋସିସ୍ ବିଗତ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପ୍ରମୁଖ ଆଇଟି ସେବା ପ୍ରଦାନକାରୀ ସଂସ୍ଥାର ରାଜ୍ୟର ବିକାଶ, ରାଜସ୍ବ ବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ଅବଦାନ ରହିଛି ।"
![ଇନ୍ଫୋସିସ ବିପିଏମ ସେଣ୍ଟରର ଶୁଭାରମ୍ଭ](https://etvbharatimages.akamaized.net/etvbharat/prod-images/10-08-2023/od-bbsr-02-new-bpm-7209787_10082023153239_1008f_1691661759_957.jpg)
ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଇନ୍ଫୋସିସ୍ ନିଜର ବିଜନେସ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର ଓଡ଼ିଶାରେ ଆରମ୍ଭ କରିଛି । ଏଥିପାଇଁ ମୁଁ ବହୁତ ଖୁସି । ଏହାର ସମ୍ପ୍ରସାରଣ ଦ୍ବାରା ଯୁବପୀଢ଼ିମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆମ ପିଲାମାନେ ଏହି କେନ୍ଦ୍ରକୁ ଦେଶର ସର୍ବଶ୍ରେଷ୍ଠ ସେବା କେନ୍ଦ୍ରରେ ପରିଣତ କରିବାରେ ସଫଳ ହେବେ ବୋଲି ମୁଁ ନିଶ୍ଚିତ । ରାଜ୍ୟ ସରକାର ଏନେଇ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ।"
![ଇନ୍ଫୋସିସ ବିପିଏମ ସେଣ୍ଟରର ଶୁଭାରମ୍ଭ](https://etvbharatimages.akamaized.net/etvbharat/prod-images/10-08-2023/od-bbsr-02-new-bpm-7209787_10082023153239_1008f_1691661759_844.jpg)
ଏହା ବି ପଢନ୍ତୁ...ସ୍ୱାସ୍ଥ୍ୟକୁ ଶକ୍ତି; ୧୨୦୫ ନୂଆ ଡାକ୍ତରଙ୍କୁ ନିଯୁକ୍ତି
ସେପଟେ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "ଓଡ଼ିଶା ଏବେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନମାନେ ରାଜ୍ୟ ସରକାରଙ୍କ ନୀତି ନିୟମ ଦ୍ବାରା ଆକୃଷ୍ଟ ହୋଇ ଓଡ଼ିଶାରେ ନିଜର ପ୍ରୟୋଗ କେନ୍ଦ୍ର ସ୍ଥାପନା କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଉ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଇନ୍ଫୋସିସ୍ର ଅଗ୍ରଣୀ ଭୂମିକାରେ ରହିଆସିଛି । ଏହି ବିଜ୍ନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର ରାଜ୍ୟର ଉଚ୍ଚଶିକ୍ଷିତ ଯୁବପୀଢ଼ିମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।"
![ଇନ୍ଫୋସିସ ବିପିଏମ ସେଣ୍ଟରର ଶୁଭାରମ୍ଭ](https://etvbharatimages.akamaized.net/etvbharat/prod-images/10-08-2023/od-bbsr-02-new-bpm-7209787_10082023153239_1008f_1691661759_27.jpg)
ଅପରପକ୍ଷେ, ଇନ୍ଫୋସିସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସତୀଶ ଏଚ.ସି, ରାଜ୍ୟ ସରକାରଙ୍କ ସହଯୋଗର ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଇନ୍ଫୋସିସ ଭୁବନେଶ୍ବରରେ ପାଖାପାଖି ୧୦ ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଭବିଷ୍ୟତରେ ଏହି କ୍ଷମତାକୁ ୨୦ ହଜାରକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ ଏହି ନୂତନ କେନ୍ଦ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଏହାଦ୍ବାରା ଓଡ଼ିଶାର ଶିକ୍ଷିତ ଯୁବପୀଢ଼ିମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ । କାର୍ଯ୍ୟକ୍ରମ ଆରମ୍ଭରୁ ବିପିଏମ ସେବା କେନ୍ଦ୍ର ମୁଖ୍ୟ ଉପାଧ୍ୟକ୍ଷ ପ୍ରଭାତ କୁମାର ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ବିପିଏମ୍ ସେବା ବ୍ୟବସାୟ ମୁଖ୍ୟ ଉପାଧ୍ୟକ୍ଷ ନୀଲ ମୋହନ ଧନ୍ୟବାଦ ଅର୍ପଣ କରିଛନ୍ତି ।
![ଇନ୍ଫୋସିସ ବିପିଏମ ସେଣ୍ଟରର ଶୁଭାରମ୍ଭ](https://etvbharatimages.akamaized.net/etvbharat/prod-images/10-08-2023/od-bbsr-02-new-bpm-7209787_10082023153239_1008f_1691661759_699.jpg)
ଇଟିଭି ଭାରତ, ଭୁବନେଶ୍ବର