ଭୁବନେଶ୍ବର: ବର୍ତ୍ତମାନ ମୁସଲମାନଙ୍କ ପବିତ୍ର ପର୍ବ ରମଜାନ ମାସ ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ଆୟୋଜିତ ହେଉଛି ଇଫତାର ପାର୍ଟି । ଏହି ଦାୱତ ଇଫତାର ପାର୍ଟିରେ ହିନ୍ଦୁ, ଶିଖ, ଇସାଇ ଧର୍ମର ଲୋକେ ସାମିଲ ହୋଇ ଦେଇଛନ୍ତି ଭାଇଚାରାର ବାର୍ତ୍ତା । ଭୁବନେଶ୍ବରରେ ନବ ନିର୍ମାଣ ଛାତ୍ର ସଂଗଠନ ତରଫରୁ ଆୟୋଜିତ ହୋଇଥିବା ଦାୱତ ଇଫତାର ପାର୍ଟିରେ ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ହିନ୍ଦୁ-ମୁସଲିମ ଏକାଠି ହୋଇ ଇଫତାର ପାର୍ଟି କରିଛନ୍ତି । ଆଉ ଏଥିରେ ସାମିଲ ହୋଇଥିଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।
ଭାଇଚାରାର ଏହି ମହାନ ଉତ୍ସବରେ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ଏକାଠି ବସି ଭୋଜନ କରିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ବର ସ୍ଥିତ କସ୍ତୁରବା ନାରୀମହଲ ଦାୱତ ଇଫତାର ପାର୍ଟି ଆୟୋଜନ କରାଯାଇଥିଲା । ରବିବାର ସନ୍ଧ୍ୟାରେ ଏହି ଇଫତାର ପାର୍ଟି ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହୋଇ ଦାୱତ ଇଫତାର ପାଳି ଥିଲେ ଡିସିପି ପ୍ରତୀକ ସିଂ । ଏଥିସହ ଏହି ପାର୍ଟିରେ ବହୁ ସମାଜସେବୀ, ବୁଦ୍ଧିଜୀବୀ, ରାଜନେତା ଓ ଯୁବପିଢ଼ି ମଧ୍ୟ ସାମିଲ ହୋଇ ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ ।
ଇସଲାମ ଧର୍ମର ସବୁଠୁ ପବିତ୍ର ମାସ ହେଉଛି ରମଜାନ । ମୁସଲମାନ ସମ୍ପ୍ରଦାୟର ଲୋକେ ଆହ୍ଲାଙ୍କୁ ଉପାସନା କରି ଏହି ମାସରେ ରୋଜା ପାଳନ କରିଥାନ୍ତି । ରମଜାନ ମାସରେ ପ୍ରତିଦିନ ସୂର୍ଯ୍ୟାଦୋୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରଖି ରୋଜା ପାଳନ କରାଯାଇଥାଏ । ଉପବାସ ସରିବା ପରେ ସନ୍ଧ୍ୟାରେ ଚାନ୍ଦ ଦେଖି ରୋଜା ଭାଙ୍ଗିଥାନ୍ତି ଇସଲାମ ଧର୍ମାବଲମ୍ବୀ । ପରେ ମସଜିଦରେ ସମୂହ ନମାଜ ପାଠ କରାଯାଇଥାଏ । ଏହାପରେ ସନ୍ଧ୍ୟାରେ ଇଫତାର ପାର୍ଟି ଆୟୋଜିତ ହୋଇଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ହୋଇ ଭୋଜନ କରିଥାନ୍ତି ସମସ୍ତେ।
ରମଜାନ ମାସରେ 30 ଦିନ ରୋଜା ରଖିଥାନ୍ତି ଶ୍ରଦ୍ଧାଳୁ । ଏହି ସମୟରେ 30 ପାରା କୋରାନ ପାଠ ଓ ଦିନକୁ 5 ଥର ନମାଜ ପାଠ କରାଯାଇଥାଏ । ବିଶ୍ବାସ ରହିଛି ରମଜାନ ମାସରେ ରୋଜା ରଖିଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ତେଣୁ ଧାର୍ମିକ ଦୃଷ୍ଟି କୋଣରୁ ମୁସଲମାନ ମାନଙ୍କ ପାଇଁ ସବୁଠୁ ବଡ଼ ପର୍ବ ହେଉଛି ରୋଜା । ଯାହା ଇଦରେ ଶେଷ ହେବ।
ଇଟିଭି ଭାରତ, ଭୁବନେଶ୍ବର