ଭୁବନେଶ୍ବର: ଆମେ ସମସ୍ତେ ଆମର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଆବଶ୍ୟକ । ଓଡିଶାର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବାର ମଧ୍ୟ ଆବଶ୍ୟକତା ରହିଛି । ଏହା ସହ ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏ ସଂପର୍କରେ ସେ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ବିଭାଗ ଅନ୍ତର୍ଗତ ବିଭିନ୍ନ ଶାଖାର ମୁଖ୍ୟମାନେ ସ୍ୱାଗତ କରିଛନ୍ତି । ପରେ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭାଗର ବିଭିନ୍ନ ଶାଖାର କାର୍ଯ୍ୟାବଳୀ ସଂପର୍କରେ ଏକ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ବିଭାଗକୁ ଅଧିକ ଚଳ ଚଞ୍ଚଳ କରିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ କରିବା, ଯେଉଁ ଦିନର କାମକୁ ସେହି ଦିନ ସାରିବା, ସମସ୍ତେ ଦାୟିତ୍ୱ ସଂପନ୍ନ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି । ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସମସ୍ତଙ୍କ ସମ୍ମିଳିତ ପ୍ରୟାସରେ ବିଭାଗର ଉନ୍ନତିକୁ ଆହୁରି ଆଗକୁ ନେବାକୁ ସେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ସହଯୋଗ କାମନା କରିଛନ୍ତି ।ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୫୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଏବେ ୩୪ ହଜାର ହିତାଧିକାରୀ ସହାୟତା ପାଉଛନ୍ତି । ଯେଉଁମାନଙ୍କୁ କି ଅନ୍ ଲାଇନ୍ ଯୋଗେ ସେମାନଙ୍କର ବ୍ୟାଙ୍କ ଜମାଖାତାକୁ ଅର୍ଥ ପ୍ରେରଣର ବ୍ୟବସ୍ଥା ହୋଇଛି ।
ତେବେ ଚୟନ ହୋଇଥିବା ଅବଶିଷ୍ଟ ପ୍ରାୟ ୧୬ ହଜାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣ କରାଯିବାକୁ ନେବାକୁ ସେ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ବିଭାଗରେ ଲାଗୁ କରାଯାଇଥିବା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି । ବିଭାଗର ବିଭିନ୍ନ ଶାଖା ଯଥା, ଓଡିଶା ସଂଗୀତ ନାଟକ ଏକାଡେମୀ, ଲଳିତ କଳା ଏକାଡେମୀ, ଊର୍ଦ୍ଦୁ ଏକାଡେମୀ, ରାଜ୍ୟ ସଂଗ୍ରହାଳୟ, ଉତ୍କଳ ସଂଗୀତ ମହାବିଦ୍ୟାଳୟ,ଓଡିଶା ସାହିତ୍ୟ ଏକାଡେମୀ, ଓଡିଆ ଭାଷା ପ୍ରତିଷ୍ଠାନ, କଳିଙ୍ଗ ଆର୍ଟ ଗ୍ୟାଲେରୀ, ଖଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ବିଭୁତି କାନୁନଗୋ କଳା ଓ ଶିଳ୍ପ ମହାବିଦ୍ୟାଳୟ, ଓଡିଶା ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଆଦି ବିଭିନ୍ନ ଶାଖାର କାର୍ଯ୍ୟାବଳୀ ଓ ସେଗୁଡିକର ଅଧିକ ଉନ୍ନତିକରଣ ଯୋଜନା ସମେତ ଓଡିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଜରିଆରେ ପୁରାତନ କୀର୍ତ୍ତୀରାଜିର ସଂରକ୍ଷଣକୁ ଅତିରିକ୍ତ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।
କୋଭିଡ କଟକଣା ପରିପ୍ରେକ୍ଷୀରେ ୨୦୧୭ ମସିହାରୁ ବଣ୍ଟନ କରାଯାଇପାରିନଥିବା ବିଭିନ୍ନ ଲେଖକ ଲେଖିକାମାନଙ୍କର ପ୍ରକାଶିତ ପୁସ୍ତକଗୁଡିକୁ କାର୍ଯ୍ୟକ୍ଷମ ଥିବା ପଂଜୀକୃତ ପାଠାଗାରଗୁଡିକୁ ଶୀଘ୍ର ପଦକ୍ଷେପ ନିଆଯାଇ ବଣ୍ଟନ କରାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତେ ସମ୍ମିଳିତ ପ୍ରଚେଷ୍ଟା ପୂର୍ବକ ବିଭାଗର କାର୍ଯ୍ୟକୁ ଅଧିକ ଚଳ ଚଂଚଳ କରି ବିଭାଗର ସୁନାମ ବଜାୟ ରଖିବାକୁ ଅତିରିକ୍ତ ଶାସନ ସଚିବ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟଙ୍କ ସମେତ ବିଭାଗ ଅନ୍ତର୍ଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ । ସତ୍ୟବ୍ରତ ସାହୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଦାୟିତ୍ୱରେ ଥାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର