ଖୋର୍ଦ୍ଧା: ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଟାଙ୍ଗୀ ଥାନା ଚଣ୍ଡେଶ୍ବର ଅଞ୍ଚଳରୁ । ହତ୍ୟାକାରୀ ଖୋଦ୍ ସ୍ବାମୀ ଗଗନ ରାଉତ ।
ସୂଚନାନୁସାରେ, ଗତ 5 ବର୍ଷ ତଳେ ଟାଙ୍ଗୀ ଥାନା ଝରିଆ ଗ୍ରାମର ପାର୍ବତୀ ସ୍ବାଇଁ ଚଣ୍ଡେଶ୍ବରର ଗଗନ ରାଉତଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ସମୟରେ କନ୍ୟା ଘର ପକ୍ଷରୁ କୌଣସି ଯୌତୁକ ଦିଆଯାଇନଥିବାରୁ ଗଗନ ପାର୍ବତୀଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲା । ସେପଟେ ବିବାହକୁ 5 ବର୍ଷ ବିତିଯାଇଥିଲେ ମଧ୍ୟ ପାର୍ବତୀଙ୍କ କୌଣସି ସନ୍ତାନ ହୋଇନଥିଲେ । ଯାହାକୁ ନେଇ ଗଗନଙ୍କ ନିର୍ଯାତନା ପାର୍ବତୀଙ୍କ ଉପରେ ଦ୍ବିଗୁଣିତ ବଢିଯାଇଥିଲା ।
ପାର୍ବତୀ ଏସବୁ ଚିନ୍ତା କରି ଗତ କିଛି ଦିନ ହେବ ରୋଗରେ ପୀଡିତ ଥିବାବେଳେ ଶୁକ୍ରବାର ଗଗନ ତାଙ୍କୁ ବାଡେଇ ବାଡେଇ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାର୍ବତୀଙ୍କ ମୃତଦେହକୁ ଜବତ କରିବା ସହ ହତ୍ୟାକାରୀ ଗଗନକୁ ଅଭିଯୋଗ ଆଧାରରେ ଅଟକ ରଖି ପଚରାଉଚରା କରୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ