ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍ ଗ୍ରେଡ କମିବା ପରେ ଏ ପର୍ଯ୍ୟନ୍ତ କାରଣ ଖୋଜା ସରୁନି । ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍ ପାଇଥିବା ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟର ଗ୍ରେଡ୍ ୨୦୨୩ ମସିହାରେ ୩.୧୬ ସ୍କୋର ସହ ‘ଏ’କୁ ଖସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯିବା ସହ ପରାମର୍ଶ ଦେଇଛି । ଦୁର୍ବଳତା ଚିହ୍ନଟ କରି ଉନ୍ନତି ପାଇଁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଏହି ବିବରଣୀ ବିଭାଗକୁ ପଠାଯାଇଥିଲା । ଯାହାକୁ ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରାଯାଇଛି ।
ଏଥିରେ ୨୦୧୬ ଏବଂ ୨୦୨୩ ଗ୍ରେଡର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି ଏବଂ କେଉଁଥିରେ ନମ୍ବର କମିଲା, ତାହା ମଧ୍ୟ ଉଲ୍ଲେଖ ରହିଛି । ନାକ୍ ଗ୍ରେଡ ପାଇଁ ୭ଟି ପଏଣ୍ଟ ରହିଛି ଯଥା ପାଠ୍ୟକ୍ରମ, ଶିକ୍ଷାଦାନ ଓ ମୂଲ୍ୟାଙ୍କନ, ଗବେଷଣା, ଭିତ୍ତିଭୂମି, ଛାତ୍ର ସମର୍ଥନ ଓ ଏହାର ପ୍ରଗତି, ଶାସନର ନେତୃତ୍ବ ଓ ଏହାର ପରିଚାଳନା ଏବଂ ଇନୋଭେଶନ । ଏହା ଭିତରୁ ଶିକ୍ଷାଦାନରେ ଗ୍ରେଡ କମିଛି । ୨୦୧୬ ମସିହାରେ ୩.୯୦ ରହିଥିବା ବେଳେ ୨୦୨୩ ବର୍ଷରେ ଏହାର ପଏଣ୍ଟ ୩.୧୫ ରହିଛି ।
ସେହିପରି ଭାବରେ ଗବେଷଣାରେ ମଧ୍ୟ କମିଛି । ୨୦୧୬ ବର୍ଷରେ ପଏଣ୍ଟ ଥିଲା ୩.୭୬ କିନ୍ତୁ ୨୦୨୩ ବର୍ଷରେ ଏହାର ପଏଣ୍ଟ ରହିଛି ୩.୦୯ । ଭିତ୍ତିଭୂମି ଏବଂ ଶିକ୍ଷାଦାନର ଉତ୍ସରେ ୨୦୨୬ ବର୍ଷରେ ୩.୩୦ ପଏଣ୍ଟ ରହିଥିବା ବେଳେ ୨୦୨୩ ବର୍ଷରେ ଏହାର ପଏଣ୍ଟ ରହିଛି ୩.୩ । ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏନେଇ ଚିନ୍ତନ କରିବାକୁ କୁହାଯାଇଛି ।
ଏଥିସହ ଦୁର୍ବଳତା ଚିହ୍ନଟ କରି ଉନ୍ନତି ପାଇଁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି । ଯେ କୌଣସି ବିଶ୍ବବିଦ୍ୟାଳୟ ‘ଏ++’ ମାନ୍ୟତା ପାଇଁ ଲକ୍ଷ୍ୟ ରଖିଥିଲେ ସେ ଦିଗରେ କ୍ରମାଗତ କାର୍ଯ୍ୟ ଜାରି ରଖିବା ଦରକାର । ବିଶ୍ବବିଦ୍ୟାଳୟ ପକ୍ଷରୁ ସବିଶେଷ ସ୍କୋରସିଟ୍ ପ୍ରଦାନ କରାଗଲେ ଏକ ଉତ୍ତମ ବିଶ୍ଲେଷଣ ସମ୍ଭବ ହେବ ବୋଲି କୁହାଯାଇଛି । ଏହାବ୍ୟତୀତ ୨୦୧୬ ମସିହାରେ ନାକ୍ ଟିମ୍ ଯେଉଁ ତର୍ଜମା କରି ଉତ୍କଳକୁ ଗ୍ରେଡ୍ ଦେଇଥିଲା, ୨୦୨୩ରେ ସେଥିରେ ବହୁତ ଫରକ୍ ରହିଛି । ଏହି ଆସେସମେଣ୍ଟ ଅବଧି ୨୦୧୬-୧୭ରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଥିଲା । ଏହି ସମୟ ଭିତରେ ତିନି କୁଳପତି ପ୍ରଫେସର ଅଶୋକ ଦାସ (୨୦୧୬-୧୭), ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ (୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦) ଏବଂ ପ୍ରଫେସର ସବିତା ଆଚାର୍ଯ୍ୟ (୨୦୨୦-୨୧) ଥିଲେ । ୨୦୨୧-୨୨ ଏବଂ ୨୦୨୨-୨୩ରେ ହୋଇଥିବା ବିକାଶ ଆସେସମେଣ୍ଟର ଏକ ଅଂଶ ନଥିଲା ।
ଗବେଷଣାରେ ସ୍କୋର କରିବାରେ ବିଶ୍ବବିଦ୍ୟାଳୟ ବିଫଳ ହୋଇଛି । ଯଦି ଛାତ୍ରଛାତ୍ରୀ ଶିକ୍ଷାଦାନ, ପାଠ୍ୟକ୍ରମ, ଲାଇବ୍ରେରୀ ସୁବିଧା, ଇ-ଲର୍ଣ୍ଣିଂ ରିସୋର୍ସ ଏବଂ କାଉନସେଲିଂ ଆଦି ସୁବିଧା ସମ୍ପର୍କରେ ନକରାତ୍ମକ ବା ଦୁର୍ବଳ ମତାମତ ଦିଅନ୍ତି, ତାହାହେଲେ ଟିମ୍ କମ୍ ଅନୁକୂଳ ହୋଇଥାନ୍ତି ବୋଲି ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର