ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । ଏୟାରଲିଫ୍ଟ ହୋଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଡାକ୍ତର ଟିମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସମୀକ୍ଷା କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରପୋର୍ଟରୁ ଗ୍ରୀନ କରିଡର ବ୍ୟବସ୍ଥାରେ ଆପୋଲୋ ହସ୍ପିଟାଲ ଅଣାଯାଇଛି । ହସ୍ପିଟାଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲର ଓଟିକୁ ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିକିତ୍ସା ଲାଗି ଏସସିବି ମେଡ଼ିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆପୋଲୋ ହସ୍ପିଟାଲର ସ୍ପେସିଆଲିଷ୍ଟ ଡାକ୍ତର ଟିମ ଗଠନ କରାଯାଇଛି ।
ଅନ୍ୟପଟେ ଏନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ପହଁଚିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସମୀକ୍ଷା କରିଛନ୍ତି । ଏଥିସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିକିତ୍ସା ବାବଦରେ ଡାକ୍ତର ଓ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ 5ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ହସ୍ପିଟାଲରେ ଆସିଛନ୍ତି । ହସ୍ପିଟାଲରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି ।
ସେହିପରି ମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟ ଓ ସଦସ୍ୟା ହସ୍ପିଟାଲରେ ପହଁଚିଛନ୍ତି । ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ, ଶ୍ରୀକାନ୍ତ ସାହୁ, ରୋହିତ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରତାପ ଜେନା, ଅନନ୍ତ ନାରାୟଣ ଜେନା, ଉମା ସାମନ୍ତରାୟ, ସୁଶାନ୍ତ ସିଂ, ସୁଶାନ୍ତ ରାଉତ, ସ୍ନେହାଙ୍ଗିନି ଛୁରିଆ ପ୍ରମୁଖ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଭୁବନେଶ୍ୱର ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର