ଖୋର୍ଦ୍ଧା: ଗୁପ୍ତା ପାୱାରରେ ଶ୍ରମିକ ଅଶାନ୍ତି । ସଂସ୍ଥାରୁ କରାଯାଉଛି ଶ୍ରମିକଙ୍କୁ ଛଟେଇ । ଶତାଧିକ ଛଟେଇ ଶ୍ରମିକମାନେ ଶିଳ୍ପ ସଂସ୍ଥା ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଗୁପ୍ତା ପାୱାର କମ୍ପାନୀ ଅଧୀନରେ ଏକ ହଜାର ଶ୍ରମିକ ଦୀର୍ଘ ବର୍ଷ ଧରି କାମ କରି ସେମାନଙ୍କର ପରିବାର ପ୍ରତିପୋଷଣ କରିଆସୁଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ଅନ୍ୟ ଜିଲ୍ଲାର ଶ୍ରମିକମାନେ ଏହି କମ୍ପାନୀରେ କାମ କରି ପେଟ ପୋଷନ୍ତି । କିନ୍ତୁ କମ୍ପାନୀ ମାଲିକ ତିନି ମାସର ଦରମା ଶ୍ରମିକମାନଙ୍କୁ ଦେଇନାହାନ୍ତି । ଦରମା ନ ପାଇ ମଧ୍ୟ ଶ୍ରମିକମାନେ କାର୍ଯ୍ୟ ବନ୍ଦ ନ କରି କାରଖାନା ଚାଲୁ ରଖିବାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ । କିନ୍ତୁ ହଠାତ୍ କାରଖାନା ମାଲିକ 700 ଠିକା ଶ୍ରମିକଙ୍କୁ ନୂଆବର୍ଷ ଠାରୁ କାମକୁ ନ ଆସିବା ପାଇଁ ନୋଟିସ ଜାରି କରିଥିଲେ ।
ଏହା ମଧ୍ୟ ପଢନ୍ତୁ... 4 ଦଫା ଦାବି ନେଇ ଠିକା କର୍ମଚାରୀଙ୍କ ଆମରଣ ଅନଶନ
ଶ୍ରମିକମାନଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ନଦେଇ, ସେମାନଙ୍କ ସହିତ କୌଣସି ପ୍ରକାର ଆଲୋଚନା ନ କରି, ଏପରିକି ଶ୍ରମ ବିଭାଗକୁ ଅବଗତ ନ କରି କମ୍ପାନୀ ଏଭଳି କାମ କରିଛି ଯାହାକି ସମ୍ପୂର୍ଣ୍ଣ ବେଆଇନ ଓ ଶ୍ରମିକ ବିରୋଧି ବୋଲି ଅଭିଯୋଗ କରି ମଙ୍ଗଳବାର ଶତାଧିକ ଶ୍ରମିକଙ୍କ ସହ ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ଗୁପ୍ତା ପାୱାର ସଂସ୍ଥା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମିକମାନଙ୍କ ସବୁ ରୋଜଗାର ଖୋର୍ଦ୍ଧା ବଜାର ଅର୍ଥନୀତିକୁ ସଜୀବ କରି ରଖୁଥିଲା । ଗୁପ୍ତା ପାଓ୍ବାର ବନ୍ଦ ହେବା ଫଳରେ ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡ଼ିବ ।
ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି କାରଖାନା ଚାଲୁ କରିବା ସହିତ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତ ଏବଂ ସମସ୍ତ ବକେୟା ଦରମା ତୁରନ୍ତ ପ୍ରଦାନ କରିବା ପାଇଁ ଶ୍ରମିକ ସଂଗଠନ ସିଟୁ ଏବଂ ଶ୍ରମିକମାନେ ଦାବି କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ଯୁଗ୍ମ ଶ୍ରମ ଆୟୁକ୍ତ କହିଛନ୍ତି ଯେ, ଶ୍ରମିକଙ୍କ ଏହି ସମସ୍ୟା ସମ୍ପର୍କରେ ଆମେ ଅବଗତ ଅଛୁ ଏବଂ ଆସନ୍ତାକାଲି ଉଭୟ ପକ୍ଷଙ୍କୁ ଡକାଯାଇ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ ।
ଇଟିଭି ଭାରତ, ଖୋର୍ଦ୍ଧା