ଭୁବନେଶ୍ବର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ତାଙ୍କ ଜନ୍ମ ଦିନକୁ ପ୍ରେରଣା ଦିବସ ଭାବେ ଭବାନୀ ଚରଣ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନ ଠାରେ ଜୟନ୍ତୀ ସମାରୋହ ପାଳନ ହୋଇଯାଇଛି । ତାଙ୍କ ଜୀବନ ଧାରାକୁ ପ୍ରେରଣା ଭାବେ ପିଲା ଓ ଯୁବବର୍ଗଙ୍କ ପାଖରେ ପହଞ୍ଚାଇବା ପାଇଁ ଜୟଦେବ ଭବନ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ପରିବେଶ ସୁରକ୍ଷାରେ ବ୍ୟକ୍ତିବିଶେଷଙ୍କ ଭୂମିକା ଶୀର୍ଷକରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ରାଜ୍ୟର କୋଣ ଅନୁକୋଣରୁ ଛାତ୍ରଛାତ୍ରୀମାନେ ଆସି ଯୋଗ ଦେଇଥିଲେ ।
ସେହିପରି ଭବାନୀଙ୍କ କଥା ମଧ୍ୟ ଜୟଦେବ ଭବନ ମଞ୍ଚରେ ସ୍ମୃତିଚରଣ କରିଥିଲେ ନିମନ୍ତ୍ରିତ ଅତିଥି । ତାଙ୍କ କଥା କହିବା ସହ ତାଙ୍କ ପ୍ରତିଭା ଓ ବଳିଦାନ ସମ୍ବନ୍ଧରେ ମନେ ପକାଇ ସମସ୍ତେ ତାଙ୍କର ସ୍ମୃତିଚାରଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ଡ଼କ୍ଟର ଭଗବାନ ପ୍ରକାଶ ଓ ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ଅଶୋଭନୀୟତା ନିରାକରଣ ଅଭିଯାନରେ ନିର୍ଦେଶିକା ଡକ୍ଟର ଅରୁନ୍ଧତୀ ଦେବୀଙ୍କ ସମେତ ଓଡ଼ିଶା ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଏକରାୟ ଯୋଗ ଦେଇଥିଲେ । ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦେଶଭକ୍ତିର ଗୀତ ପରିବେଷଣ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, "ମହାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଜନ୍ମଦିନ ଆମେ ମହାସମାରୋହରେ ପାଳନ କରିଛୁ । ପ୍ରେରଣା ଦିବସ ଭାବରେ ତାଙ୍କ ଜନ୍ମ ଦିବସ ପାଳନ କରାଯାଉଛି । ଯେହେତୁ ସେ ସବୁଜ ପ୍ରେମୀ ଥିଲେ ତେଣୁ ପରିବେଶ ସୁରକ୍ଷା ସହ ବୃକ୍ଷ ରୋପଣର ବାର୍ତାକୁ ନେଇ ୧୪୦ରୁ ଊର୍ଦ୍ଧ୍ବ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି କାର୍ଯ୍ୟ କ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହାସହ ସେ ଜଣେ ପ୍ରେରଣାଦାୟୀ ବ୍ୟକ୍ତି ବିଶେଷ ଥିବା ବେଳେ ତାଙ୍କର ଜୀବନ କାହାଣୀଙ୍କ ଆମେ ଅର୍ଥାତ ଆମର ଯୁବପିଢି ପ୍ରେରଣା ଭାବେ ବା ଆଦର୍ଶ ଭାବେ ପାଥେୟ କରିବା ଆବଶ୍ୟକ ।
ସେହିପରି ଏହି ପ୍ରେରଣା ଦିବସରେ ଯୋଗ ଦେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, "ସେ ଜଣେ ଗାନ୍ଧିବାଦୀ ଚିନ୍ତକ ଥିଲେ । ତାଙ୍କ ବିୟୋଗ ହୋଇଯାଇଛି ସତ କିନ୍ତୁ ବିଚାରଧାରା ଆଜିବି ଜୀବିତ ଅଛି । ଆଉ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ମନ ପକାଇବା ପାଇଁ ଯେଉଁ ମନୋଜ୍ଞ ଆଲୋଚନା ହୋଇଛି ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅଟେ । ସେ ଏକାଧାରେ ରାଜନୈତିକ ଏବଂ ସମାଜ ଚିନ୍ତକ ଥିଲେ । ବିଶେଷ ଭାବେ ସେ ଗାନ୍ଧିବାଦୀ ଚିନ୍ତାଧାରାର ଜଣେ ସତର୍କ ବା ଦୃଢ ସୈନିକ ଥିଲେ । ପ୍ରତିଟି ରାଜନୀତିକ ବ୍ୟକ୍ତି ବିଶେଷଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା ବେଳେ ରାଜନୀତିରେ ସେ ଗାନ୍ଧୀବାଦକୁ ବେଶୀ ବିଶ୍ୱାସ କରୁଥିଲେ । ଆଉ ଏହି ଚିନ୍ତାଧାରାକୁ ନେଇ ସେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ଯୁବପିଢିଙ୍କୁ ଏହି ଧାରାରେ ଅନୁପ୍ରାଣିତ ପାଇଁ ସେ ଆହ୍ୱାନ ଦେଉଥିଲେ । ରାଜନୀତି ବିଚାର ଧାରା କିଭଳି ଗାନ୍ଧୀ ବିଚାରଧାରା ହେବ ସେନେଇ ସେ ଅହରହ ପ୍ରୟାସ କରୁଥିବା ବେଳେ ଆମ ଭିତରେ ସେ ବିଚାରଧାରା ବଞ୍ଚି ରହୁ ।"
ଇଟିଭି ଭାରତ, ଭୁବନେଶ୍ବର