ଭୁବନେଶ୍ବର: ଓଡିଶାର ମିଲେଟକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାରଙ୍କ କୃଷି ବିଭାଗ । ଏନେଇ 'ଚାଖ ଲେ ମିଲେଟ'ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପରେ ଭାଗ ନେବା ଲାଗି ଆସିଥିବା ବିଦେଶୀ ଖେଳାଳୀ ଓ ଦର୍ଶକଙ୍କୁ ଦିଆଯିବ ମିଲେଟ ଜାତୀୟ ଖାଦ୍ୟ । ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କ ଜରିଆରେ ମିଲେଟ ପ୍ରସ୍ତୁତ ସହ ପରସିବା ଲାଗି ବ୍ୟବସ୍ଥା ହୋଇଛି । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
କୃଷି ମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ମିଲେଟକୁ ବିଶ୍ୱସ୍ତରରେ ପହଁଚେଇବା ଲାଗି ବଡ଼ ସୁଯୋଗ ସୃଷ୍ଟି କରିଛି ପୁରୁଷ ହକି ବିଶ୍ୱକପ 2023 । ପୁରୁଷ ହକି ବିଶ୍ୱକପରେ ଭାଗ ନେବା ଲାଗି ଆସିଛନ୍ତି ବିଭିନ୍ନ ଦେଶର ଖେଳାଳୀ ଓ ଦର୍ଶକ । ବିଦେଶୀ ଖେଳାଳି ଓ ଅଫିସର ଚାଖିବେ ଓଡ଼ିଆ ଖାଦ୍ୟ ମାଣ୍ଡିଆ । ରାଉରକେଲା ବିର୍ଷାମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମରେ ଖେଳାଳୀଙ୍କ ଲାଗି ପରସା ଯିବ ମାଣ୍ଡିଆ ଖାଦ୍ୟ । ଏହାଦ୍ୱାରା ରାଜ୍ୟର ମିଲେଟ ବିଶ୍ଵ ବଜାରରେ କାୟା ବିସ୍ତାର କରିପାରିବ । ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି । ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ବିଦେଶୀ ଖେଳାଳୀ ଓ ଅଧିକାରୀଙ୍କୁ ଉପହାର ସ୍ୱରୂପ ଦିଆଯିବ । ସେମାନଙ୍କୁ ମାଣ୍ଡିଆ ଖାଦ୍ୟ ବି ପରସା ଯିବ । ମିଶନ ଶକ୍ତି ମା' ମାନେ ପରସିବେ ମାଣ୍ଡିଆ ଖାଦ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା ହୋଇଛି ।
ଚଳିତ ଥର 'ଚାଖ ଲେ ମିଲେଟ' ସ୍ଲୋଗାନ ଦିଆଯାଇଛି । ବିଶ୍ୱସ୍ତରରେ ମାଣ୍ଡିଆକୁ ପରିଚିତ କରିବାକୁ ସୁଯୋଗ ଥିବାରୁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ମିଶନ ଶକ୍ତି ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ଜରିଆରେ ମାଣ୍ଡିଆ ଦିଆଯିବାର ବ୍ୟବସ୍ଥା ହୋଇଛି । କାର୍ଯ୍ୟକ୍ରମକୁ ନେଇ ଆଣି ଥୋଇବା ସହ ପରସିବା ଦାୟିତ୍ୱ ମା' ମାନଙ୍କୁ ଦିଆଯାଇଛି । ଓଡ଼ିଆ ହସ୍ପିଟାଲିଟି ନିଶ୍ଚୟ ବିଦେଶୀଙ୍କୁ ଆକର୍ଷିତ କରିବ ବୋଲି ସରକାର ଆଶାବାଦୀ ଅଛନ୍ତି ଅଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର