ଖୋର୍ଦ୍ଧା: ଜିଲ୍ଲାରେ ବନ୍ୟା 3 ପଞ୍ଚାୟତର 15ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇ ପାଣି ଘରରେ ରହିଛି । ରାଜୁଆ ନଦୀରେ ବନ୍ୟା ଫଳରେ ନରଣଗଡ଼, ଓରବରସିଂହ ଏବଂ ବ୍ରଜମୋହନପୁର ପଞ୍ଚାୟତର ଅନେକ ଗାଁରେ ଜଳବନ୍ଦୀ । ବନ୍ୟା ଜଳ ପଶିଆସିବାରୁ ହିରିମୂଳ ବାହ୍ୟ ଜଗତରୁ 10 ଦିନହେବ ବିଛିନ୍ନ । ଏଠିକାର 38 ପରିବାର ପାଣି ଘେରରେ, ଏହାସହ ଏହି ବନ୍ୟା ଦାଉରୁ ବାଦ ପଡିନାହାନ୍ତି ଗୃହ ପାଳିତ ପଶୁ ଓ ମାଙ୍କଡ଼ ଓ କୁକୁର ଭଳି ବୁଲା ପଶୁ ।
ପ୍ରଶାସନ ସିନା ଜଳବନ୍ଦୀ ମଣିଷ ଓ ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଦେଉଛି କିନ୍ତୁ, ବୁଲାଜନ୍ତୁ ମାଙ୍କଡ଼ ଓ କୁକୁର ମାନେ ଖାଦ୍ୟ ଅଭାବରୁ ଭୋକିଲା ରହୁଥିବା ଦେଖାଦେଇଛି । ହୀରିମୂଳ ଗାଁରେ ପାଣି ମଡିଆସିବାରୁ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଛି । ସେହିପରି ଏଠାରେ ପୂର୍ବରୁ ରହିଥିବା ମାଙ୍କଡ଼ ମାନେ ଫଶିଯାଇଛନ୍ତି ବନ୍ୟା କାରଣରୁ। ନା କୁଆଡେ ଯାଇପାରୁଛନ୍ତି ନା ଭୋକ ହେଲେ ଖାଦ୍ୟ ମାଗି ପାରୁଛନ୍ତି । ଅବୋଧ ଶିଶୁଟିଏ ପରି ମଣିଷର ହାତ ଟେକା ଖାଦ୍ୟକୁ ଅନାଇ ରହିଛନ୍ତି ।
ଗାଁ ମଧ୍ୟରେ ବନ୍ୟା ଆସିବାରୁ 25ରୁ 30 ମାଙ୍କଡ଼, ଆଉ କୁକୁର ଏହି ଗାଁର ଲୋକଙ୍କ ଛାତ ଆଉ କିଛି ଗଛରେ ନେଇଛନ୍ତି ଆଶ୍ରୟ । ସ୍ଥାନୀୟ ଲୋକ ନିଜ ପାଇଁ ମିଳୁଥିବା ରିଲିଫ ଆଉ ଘରେ ରାନ୍ଧୁଥିବା ଖାଦ୍ୟରୁ କିଛି କିଛି ଦେଉଛନ୍ତି ଏହି ପଶୁ ମାନଙ୍କୁ। ଭୋକରେ ରହିଥିବା ଏହି ପଶୁ ମାନେ ଆସି ଲୋକଙ୍କ ହାତରୁ ନେଇ ଖାଉଥିବାର ଦୃଶ୍ୟ ସେମାନଙ୍କର ଭୋକିଲା ଅବସ୍ଥାକୁ ଦର୍ଶାଉଛି ।
ସରକାର ଯେପରି ବନ୍ୟା ପିଡ଼ିତଙ୍କ ପାଇଁ ଖାଦ୍ୟ ଯୋଗାଉଛନ୍ତି ସେପରି ବୁଲା ଜନ୍ତୁଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରନ୍ତେ ତେବେ ସେମାନେ ଭୋକ ଉପାସରେ ରୁହନ୍ତେ ନାହିଁ ।
ତେବେ ବନ୍ୟା ଜଳ ଘେରରେ ସମ୍ପୂର୍ଣ୍ଣ ଅଞ୍ଚଳ ଥିଲେ ମଧ୍ୟ ଏଯାଏଁ କୌଣସି ଜଣେ ସରକାରୀ ଅଧିକାରୀଙ୍କର ଦେଖା ଦର୍ଶନ ନାହିଁ ବୋଲି ଅଭିଯୋଗ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ