ଭୁବନେଶ୍ବର: ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଫାଇଲେରିଆ ରୋଗ ପାଇଁ ଦିଆଯିବ ଆଇଭରମେଟିନ ବଟିକା । ଆସନ୍ତା ଅଗଷ୍ଟ ୧୦ରୁ ରାଜ୍ୟରେ ସାମୁହିକ ଔଷଧ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମରେ ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ସାମିଲ କରାଯିବାକୁ ବିଭାଗ ଲକ୍ଷ୍ୟ ରଖିଛି ।
ତେବେ ରାଜ୍ୟରେ ୬୦ ପ୍ରତିଶତ ଫାଇଲେରିଆ ରୋଗୀ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାଇଲେରିଆ ରୋଗକୁ ସମାପ୍ତ କରିବା ଲାଗି ୩ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରଥମ ପର୍ଯ୍ୟାୟ ୧୦ଟି ଜିଲ୍ଲାରେ ଔଷଧ ବିତରଣ କାର୍ଯ୍ୟକ୍ରମ ଶେଷ ହୋଇଛି । ପୂର୍ବରୁ ରାଜ୍ୟରେ ୯ଟି ଜିଲ୍ଲା ଫାଇଲେରିଆ ମୁକ୍ତ ଘୋଷଣା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ୧୦ରୁ ରାଜ୍ୟର ୧୧ଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଔଷଧ ବିତରଣ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ । ଏହି କାର୍ଯ୍ୟକ୍ରମରେ ୬୫ ହଜାର ୬୬୬ ଡ୍ରଗ୍ ଅଫିସର ନିୟୋଜିତ ହେବେ । ଏଥି ମଧ୍ୟରୁ ୬ ହଜାର ୪୩୧ ଜଣ ମେଡିକାଲ ସୁପରଭାଇଜର ଉପସ୍ଥିତ ରହିବେ । ୧୦ ଦିନ ଭିତରେ ସମସ୍ତଙ୍କୁ ଔଷଧ ସେବନ କରାଇବା ଲକ୍ଷ୍ୟ ରଖାଯାଇଛି ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ମଶା ବାହିତ ରୋଗ ମଧ୍ୟରୁ ଡେଙ୍ଗୁ, ଫାଇଲେରିଆ, ମ୍ୟାଲେରିଆ ଭଳି ରୋଗର ପ୍ରଭାବ ରହିଛି । କ୍ୟୁଲେସ୍ ମଶାଙ୍କ ଦ୍ୱାରା ଫାଇଲେରିଆ ରୋଗ ମଧ୍ୟ ଦେଖାଯାଇଥାଏ । ତେବେ ଉକ୍ତ ଅଭିଯାନ ମାଧ୍ୟମରେ ୧୦ ଦିନ ମଧ୍ୟରେ ୯୦ ପ୍ରତିଶତ ଲୋକଙ୍କୁ ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ଔଷଧ ଖୁଆଯିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଫାଇଲେରିଆ ପାଇଁ ଆଲବେନଡାଜୋଲ ଓ ଡିଇସି ବଟିକା ଦିଆଯାଉଥିବା ବେଳେ ଏବେ ଏହା ସହ ଆଇଭରମେଟିନ ମଧ୍ୟ ଦିଆଯିବ । ଲୋକଙ୍କ ଉଚ୍ଚତା ଓ ଓଜନ ଦେଖି ଔଷଧ ଦିଆଯିବ । ଏହା ସହ ଗର୍ଭବତୀ ମହିଳା, ୨ବର୍ଷରୁ କମ ବୟସର ଶିଶୁ, ଏକ ସପ୍ତାହ ଭିତରେ ଶିଶୁ ଜନ୍ମ କରିଥିବା ମାଆ ଏବଂ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଔଷଧ ଦିଆଯିବ ନାହିଁ ।
ଅନ୍ୟପକ୍ଷରେ ଜାତୀୟ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନଭିବିଡିସିପି) ଜରିଆରେ ରାଜ୍ୟରେ ମଶା ପ୍ରବଣ ଅଞ୍ଚଳରେ ୨୦୧୬, ୨୦୨୦ ଓ ୨୧ରେ ଲୋକଙ୍କ ମଶାରି ବଣ୍ଟନ କରାଯାଇଥିଲା । ତେଣୁ ଚଳିତ ବର୍ଷ ମଧ୍ୟ ମଶାରି ବଣ୍ଟନ ଲାଗି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, ଫାଲେରିଆ ମୁକ୍ତ ପାଇଁ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଥିବା ବେଳେ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ମଧ୍ୟ କମିଟି ଗଠନ କରାଯାଇଛି । ଆଶାକର୍ମୀଙ୍କ ସହ ମେଡିକାଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବେ । ସେହିପରି ଔଷଧ ବିତରଣରେ ସମଗ୍ର ଦେଶରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ବିହାର ଦ୍ୱିତୀୟ ଏବଂ ଓଡିଶା ତୃତୀୟ ସ୍ଥାନ ଗ୍ରହଣ କରିଛି । ୨୦୩୦ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ କରିବାକୁ ଚେଷ୍ଟା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର