ଭୁବନେଶ୍ବର: ଓଡିଶା ଆସୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ ପଠାନ୍, ଫ୍ୟାସନ୍ ଡିଜାଇନ୍ର ମନିଷ ମାଲହୋତ୍ରା, ଅଭିନେତ୍ରୀ ଦିଆ ମିର୍ଜା, ଅଭିନେତା ଜାଏଦ୍ ଖାନ୍ ଓ ଅଭିନେତ୍ରୀ ଖୋନି ରାଜଦାନ । ଆଇଏନଡବ୍ଲ୍ୟୁଇସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ ଓ ମହିଳା ଉଦ୍ୟୋଗୀ ପରିଷଦ ଆଇଏନଡବ୍ଲୁଇସି ଇଭୋସ୍ ସହାୟତାରେ ଆୟୋଜିତ ହେବାକୁ ଯାଉଛି ଫ୍ୟାଶନ୍ ଆଣ୍ଡ ଲାଇଫ ଷ୍ଟାଇଲ ମେଳା ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଜାନୁୟାରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ପଟିଆ ସ୍ଥିତ ପ୍ଲାଣ୍ଟ୍ରୋନିକ୍ସ ଗ୍ରାଉଣ୍ଡରେ ଏହି ମେଳା ଅନୁଷ୍ଠିତ ହେବ । ଫ୍ୟାଶନ୍, ହ୍ୟାଣ୍ଡଲୁମ୍ ଏବଂ ଜୀବନଶୈଳୀ ବ୍ୟବସାୟ କ୍ଷେତ୍ରରେ ୧୨୦ରୁ ଅଧିକ ମହିଳା ଉଦ୍ୟୋଗୀ ଷ୍ଟଲ୍ ଏଥିରେ ସ୍ଥାନ ପାଇବା ସହ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ମିଳନୀ, ସେମିନାର, କର୍ମଶାଳା, ଟକ୍ ଶୋ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାଶନ୍ ସୋ, ଖାଦ୍ୟ ମହୋତ୍ସବ, ବୁଣାକାର, ତୃଣମୂଳ ଉଦ୍ୟୋଗୀ, ହସ୍ତତନ୍ତ୍ର ସମୃଦ୍ଧ ସାଂସ୍କୃତିକ ସହିତ ଜଡ଼ିତ ଛୋଟ ବ୍ୟବସାୟ ପ୍ରଦର୍ଶିତ ହେବ । ଏହାସହ ଲକି ଡ୍ର' କରାଯିବ ।
ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଓଡ଼ିଶାର ଡିଜାଇନରଙ୍କ ସହିତ ବିଭିନ୍ନ ପ୍ରକାରର ଡିଜାଇନ୍ ପ୍ରଦର୍ଶନ କରୁଥିବା ୨୪ଟି ଫ୍ୟାଶନ୍ ସୋ ମଧ୍ୟ ପ୍ରଦର୍ଶିତ ହେବ । ଫ୍ୟାଶନ୍ ସୋ, ଶିଶୁ, ମାଆ, ମଡ଼େଲ୍, ବରିଷ୍ଠ ନାଗରିକ, ଟ୍ରାନ୍ସଜେଣ୍ଡର୍, ସେଲିବ୍ରିଟି, ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଜନସଂଖ୍ୟାର ସମସ୍ତ ବର୍ଗ ଏଥିରେ ଭାଗନେବେ । ଏହି ମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଓଡିଶା ଆସୁଛନ୍ତି ଜାତୀୟସ୍ତରର ଏହି ବ୍ୟକ୍ତିତ୍ୱ ।
ଇଟିଭି ଭାରତ, ଭୁବନେଶ୍ବର