ନିଆଳି: ମଣ୍ଡିରେ ପଡ଼ିଛି ବସ୍ତାବସ୍ତା ଧାନ। ଧାନ ବିକିବା ପାଇଁ ଚାଷୀଙ୍କୁ ମିଳୁଛି ଟୋକନ। ତଥାପି ମଣ୍ଡିରେ ଧାନ ବିକି ପାରୁନାହାଁନ୍ତି ଚାଷୀ। ମିଲର୍ସ ଓ ସେବା ସମବାୟର ସମନ୍ବୟ ଅଭାବରୁ ଚାଷୀ ହେଉଛନ୍ତି ହଟହଟା। ଏହି ପ୍ରତିବାଦରେ ଚାଷୀମାନେ ଆଜି ଏକାଠି ହୋଇ ଦେଇଛନ୍ତି ଧାରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ। ଧାନ ବିକ୍ରି କରିନପାରି ଶତାଧିକ ଚାଷୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଝିଣ୍ଟି ଶାସନ ସେବା ସମବାୟ ସମିତି ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି।
ସୂଚନାନୁସାରେ ଚଳିତ ବର୍ଷର ମାର୍ଚ୍ଚ ମାସ ଅଧା ହୋଇସାରିଲାଣି କିନ୍ତୁ ଚାଷୀଙ୍କ ମାନଙ୍କ ଅମଳ ଧାନ ଅଧା ବିକ୍ରି କରିପାରିନାହିଁ ଧାନ ଚାଷୀ। ଏ ସମ୍ପର୍କରେ ଇଟିଭି ଭାରତ ପକ୍ଷରୁ ଲଗାତର ଭାବରେ ଖବର ପ୍ରସାରଣ ପରେ ମିଲର୍ସ ଓ ସେବା ସମବାୟ ଧାନକ୍ରୟ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ମୂହୁର୍ତରେ ଚାଷୀଙ୍କୁ ଟୋକନ ଦେଇ ଠକି ଦେଇଛନ୍ତି ମିଲର୍ସ । ଯାହାକୁ ନେଇ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ।
ଅନ୍ୟପକ୍ଷରେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀଙ୍କ ନିକଟରେ ହଜାର ହଜାର ମେଟ୍ରିନ ଟନ୍ ଧାନ ଏବେ ବି ଗଚ୍ଛିତ ରହିଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀମାନେ କମ୍ ଦାମରେ ଚାଷୀଙ୍କ ଠାରୁ ଧାନ କିଣିବା ସହ ଚାଷୀ ମାନଙ୍କ ପାଇଁ ନିୟୋଜିତ ମିଲର୍ସ ମାନଙ୍କୁ ଧାନ ବିକ୍ରି କରୁଛନ୍ତି। ଏନେଇ ଅଭିଯୋଗ ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।
ଫଳରେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ଚାଷୀ ଏବେ ଅଭାବୀ ବିକ୍ରିର ସମ୍ମୁଖ ହେବାସହ ଅସାଧୁ ବ୍ୟବସାୟୀଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ବାଲିଅନ୍ତା ବ୍ଲକର ଝିଣ୍ଟି ଶାସନ ସେବା ସମବାୟ ସମିତି ଅଧିନରେ ୮୫୨ ଜଣ ଚାଷୀ ତାଙ୍କର ଧାନ ବିକ୍ରି ପାଇଁ ସେବା ସମବାୟ ସମିତିରେ ନାମ ପଞ୍ଜିକୃତ କରିଛନ୍ତି। ଦେଖିବାକୁ ବାକି ରହିଲା ଚାଷୀ ମାନଙ୍କ ପାଇଁ ମାଳ ମାଳ ଯୋଜନା ଓ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଉଥିବା ସରକାର ଚାଷୀମାନଙ୍କ ଧାନ କ୍ରୟ କରିବ ନାଁ ଚାଷୀ ଅସାଧୁ ବ୍ୟବସାୟୀଙ୍କ ଶିକାର ହେଉଛନ୍ତି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ