ଖୋର୍ଦ୍ଧା: ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । କିନ୍ତୁ ସେସବୁ ଯୋଜନାରୁ ରାଜ୍ୟବାସୀ କେତେ ଉପକୃତ ହେଉଛନ୍ତି, ତାହା ତଦାରଖ କରାଯାଉନଥିବା ଭଳି ମନେ ହେଉଛି । ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନା ଜରିଆରେ ରାଜ୍ୟର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜଗୁଡ଼ିକରେ ରୋଗୀଙ୍କ ମାଗଣା ଚକ୍ଷୁ ପରୀକ୍ଷା ସହିତ ମାଗଣା ଔଷଧ ଏବଂ ଆବଶ୍ୟକସ୍ଥଳେ ପାୱାର ଚଷମା ଯୋଗାଇ ଦିଆଯାଉଛି । 2019 ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଖୋର୍ଦ୍ଧା ଜିଲ୍ଲାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କଥା ଦୂରେ ଥାଉ, ମୁଖ୍ୟ ଚିକିତ୍ସାଳୟରେ ଆଖି ପରୀକ୍ଷାର ପ୍ରାୟ ଛଅ ମାସ ପରେ ମିଳୁଛି ପାୱାର ଚଷମା । ଚଷମା ପାଇଁ ଅପେକ୍ଷା କରି ପାଇବା ବେଳକୁ ଆଖିର ପାୱାର ପରିବର୍ତ୍ତନ ହୋଇଯାଉଛି । ତେଣୁ ଏହି ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ରୋଗୀ ଓ ଖୋର୍ଦ୍ଧା ଅଞ୍ଚଳର ଜନସାଧାରଣ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ଚିକିତ୍ସା ପାଇଁ ପ୍ରତିଦିନ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ରୋଗୀ ଆସିଥାନ୍ତି । ସେହିଭଳି ଅନେକଙ୍କୁ ଚଷମା ବ୍ୟବହାର ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି । କିନ୍ତୁ ଚଷମା ପାଇଁ ମାସ ମାସ ଅପେକ୍ଷା ରୋଗୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଥିବା ଦେଖିବାକୁ ମିଳୁଛି । ଏଭଳି ଅବ୍ୟବସ୍ଥାରେ ଅନେକ ଚକ୍ଷୁ ରୋଗୀ ଅସନ୍ତୋଷ ପ୍ରକାଶ କରି ବାହାରୁ ଚଷମା କିଣିବା ପାଇଁ ବାଧ୍ୟ ହେଉଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ମେଡିକାଲ ବିସ୍ଫୋରଣ ଘଟଣା: ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ପତ୍ନୀ
ସେପଟେ ସାରା ରାଜ୍ୟ ପାଇଁ ପାୱାର ଚଷମା ପ୍ରସ୍ତୁତ କରିବାକୁ ତାମିଲନାଡୁର ଏକ ସଂସ୍ଥା ଦାୟିତ୍ବ ନେଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଚଷମା ପ୍ରସ୍ତୁତି ଓଡ଼ିଶାରେ କରିବା ସହ ରୋଗୀଙ୍କୁ ଆଖି ପରୀକ୍ଷା ପରେ ଚଷମା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ସୁର । ନହେଲେ କଂଗ୍ରେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ମୁଖ୍ୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ଇଟିଭି ଭାରତ ଖୋର୍ଦ୍ଧା