ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ। ୭ ହଜାର ଲିଟରରୁ ଊର୍ଦ୍ଧ୍ବ ପୋଚ ଓ ମଦ ଜବତ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ନିର୍ବାଚନରେ ବେଆଇନ ମଦ ପ୍ରସ୍ତୁତି ଓ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ତତ୍ପର ହୋଇଛି ଅବକାରୀ ବିଭାଗ । ଜିଲ୍ଲାକୁ ମଦମୁକ୍ତ କରିବା ପାଇଁ ଅଣ୍ଟାଭିଡ଼ିଛି ଜିଲ୍ଲା ଅବକାରୀ ବିଭାଗ ।
ମଦ ପ୍ରସ୍ତୁତକୁ ନିଜର ରୋଜଗାର ଭାବେ ଭାବି ନେଇଥିବା କେତେକ ମାଫିଆ ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ଆଗକୁ ନିର୍ବାଚନରେ ମଦର ଚାହିଦା ରହିଥିବାବେଳେ ଏବେଠୁ ମଦ ପ୍ରସ୍ତୁତି ଚଳାଇଛନ୍ତି ମାଫିଆ ।
ଏନେଇ ଆଜି ମଦମୁକ୍ତ କରିବା ଅଭିଯାନରେ ବେଗୁନିଆ ପୋଲିସ ଓ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉରେ ଏକ ମଦଭାଟିକୁ ନଷ୍ଟ କରାଯିବା ସହ ୭ ହଜାର ଲିଟରରୁ ଊର୍ଦ୍ଧ୍ବ ମଦ ତିଆରି କଞ୍ଚାମାଲ ଜବତ କରାଯାଇ ନଷ୍ଟ କରାଯାଇଛି । ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ, କୁଳାସୁର, କଁରପୁର ଆଦି ଅଞ୍ଚଳରେ ଚଢ଼ାଉ କରାଯାଇ ବେଆଇନ ଦେଶୀ ମଦଭାଟି ନଷ୍ଟ କରାଯିବା ସହ ୬୮୦୦ ଲିଟର ପୋଚ ଓ ୫୭୦ଲିଟର ଦେଶୀମଦ ଜବତ କରାଯାଇଥିବା ନେଇ ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁଙ୍କ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ