ଖୋର୍ଦ୍ଧା: ବିବାଦୀୟ ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବିବାଦୀୟ ହୋଇ ଏବେ ବେଗୁନିଆ ନିର୍ବାଚନ ମଣ୍ଡଳୀ ଆଡକୁ ମୁହାଁଉଥିବା ଦେଖିବାକୁ ମିଳିଛି । 2014 ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଶାନ୍ତ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ଦଳ 2019ରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରଶାନ୍ତଙ୍କୁ ପ୍ରାର୍ଥୀ କରିଥିଲା । ପ୍ରଶାନ୍ତ ବିଜୟ ମଧ୍ୟ ହୋଇଥିଲେ । କିନ୍ତୁ ନିର୍ବାଚନକୁ ଦିନ କେଇଟା ଯାଇଛି ବିବାଦୀୟ ହୋଇପଡିଲେ ବିଧାୟକ ।
ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ନିର୍ବାଚନ ବେଳେ ବିଜେପି କର୍ମୀଙ୍କ ଉପରେ ଗାଡି ମଡାଇ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଅଭିଯୋଗ ହେବା ସହ ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେପି କର୍ମୀ । ଏହି ଘଟଣାରେ ବିଧାୟକ ଜେଲ ଯାଇ ସର୍ତ୍ତମୂଳକ ଜାମିନରେ ବାହାରିଛନ୍ତି । କିନ୍ତୁ ଜାମିନରେ ଆସିବା ପରଠୁ ଚିଲିକା ବିଧାୟକ ଚିଲିକା ପରିବର୍ତ୍ତେ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ଅଧିକ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳୁଛି । ଚିଲିକା ବିଧାୟକ ଏବେ ଅଧିକ ସମୟ ବେଗୁନିଆକୁ ଦେଉଥିବା ବେଳେ ବେଗୁନିଆରେ ତାଙ୍କର ବହୁ ଶୁଭେଚ୍ଛୁ, କର୍ମୀ ଓ ଅନୁଗତ ଅଛନ୍ତି । ଏ କଥା ସତ ଯେ ବେଗୁନିଆ ବିଧାୟକ ଥିବା ସମୟରେ ଜଗଦେବ ବେଗୁନିଆ ବିକାଶର କର୍ଣ୍ଣଧାର ସାଜି ଅନେକ ପ୍ରକଳ୍ପ ହାତକୁ ନେଇଥିଲେ । ସେଥିରୁ କିଛି ପୂର୍ଣ୍ଣାଙ୍ଗ ହୋଇଛି ଆଉ କିଛି ସେମିତି ଅଧା ପନ୍ତରିଆ ଭାବେ ପଡି ରହିଛି । ଆଉ ଏବେ ଦେଖିବାକୁ ମିଳୁଛି ପୁନର୍ବାର ବେଗୁନିଆ ଆସନ ଉପରେ ନଜର ପକାଇଛନ୍ତି ପ୍ରଶାନ୍ତ ଜଗଦେବ ।
ଆଗାମୀ 2024ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବେଗୁନିଆରୁ ପ୍ରାର୍ଥୀ ହେବାପାଇଁ ଜୋରଦାର ପ୍ରୟାସ ଆରମ୍ଭ କରୁଥିବା ଦେଖିବାକୁ ମିଳିଲାଣି । ଚଳିତ ଦୁର୍ଗାପୂଜା ଅବସରରେ ଚିଲିକା ବିଧାୟକ ନିଜ ସମର୍ଥକଙ୍କ ସହ ବେଗୁନିଆ ବୋଲଗଡ଼ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେପଟେ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବନ ହୋଇଥିଲେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଦଳ ପ୍ରଶାନ୍ତ ନଚେତ ତାଙ୍କ ପତ୍ନୀଙ୍କୁ ଟିକେଟ ପାଇବା ଏକ ପ୍ରକାର ନିଶ୍ଚିତ ବୋଲି ପ୍ରଶାନ୍ତଙ୍କ ସମର୍ଥକ ମାନେ କୁହାକୁହି ହେଉଛନ୍ତି । ଚଳିତ ଦୁର୍ଗାପୂଜାରେ ବେଗୁନିଆ ବୋଲଗଡ଼ର ବିଭିନ୍ନ ପୂଜା ମଣ୍ଡପ ବୁଲି ବେଗୁନିଆ ଲୋକଙ୍କ ଠାରୁ ମୁଁ ବହୁବଳୀ ଉପାଧି ପାଇଛି ଏବଂ ବହୁବଳୀ ଯେମିତି ଲୋକଙ୍କ ପାଇଁ ଲଢ଼ୁଥିଲା ମୁଁ ସେମିତି ବେଗୁନିଆ ବୋଲଗଡ଼ ବାସୀଙ୍କ ପାଇଁ ଲଢ଼ିବି ବୋଲି କହିଛନ୍ତି । ନିର୍ବାଚନ ଆସିଲେ ଯେମିତି ସ୍ଥାନୀୟ ଲୋକଙ୍କୁ ପ୍ରାର୍ଥୀ ପାଇଁ ଦାବି ହୋଇଥାଏ ଏହାକୁ ନେଇ ପ୍ରଶାନ୍ତ କହିଛନ୍ତି ମୁଁ ବର୍ତମାନ ବେଗୁନିଆର ବାସିନ୍ଦା ତେଣୁ ସ୍ଥାନୀୟ ଲୋକ ହିସାବରେ ମତେ ଜନସାଧାରଣ ସମର୍ଥନ ଜଣାଇଛନ୍ତି ।
‘‘ବେଗୁନିଆରୁ ମୁଁ ପରିଚୟ ପାଇଛି ମୋ ଶେସ ନିଶ୍ୱାସ ବେଗୁନିଆରେ ଯିବ । ମୋ ସମାଧି ଟୀକାତାଳ ଠାରେ ହେବ ବୋଲି ଗର୍ବର ସହ କହି ଥିବା’’ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଜଗଦେବଙ୍କ ବେଗୁନିଆ ଏଣ୍ଟ୍ରି ପରେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡି ତିନି ଫାଳ ହୋଇଛି ।
ଇଟିଭି ଭାରତ, ଖୋର୍ଦ୍ଧା