ଭୁବନେଶ୍ବର: ଡିସେମ୍ବର 15 ରୁ 17 ତାରିଖ ଯାଏଁ ଝାରସୁଗୁଡା ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ । ଏଭଳି ଜାତୀୟ ସ୍ତରୀୟ ମେଳା ଆୟୋଜନ ହେବା ଝାରସୁଗୁଡାରେ ପ୍ରଥମ । କୃଷି, ଗୋ ଏବଂ ପଶୁ ପାଳନ, ଫୁଲ ଚାଷକୁ ପ୍ରୋତ୍ସାହନ ଦେବାକୁ ଏହି ମେଳା ଆୟୋଜନ ହେଉଛି । ଦେଶ ବିଦେଶର ସଫଳ ଉଦ୍ୟୋଗୀଙ୍କୁ ପଶ୍ଚିମ ଓଡିଶା ସହ ଯୋଡିବା ପାଇଁ ଉଦ୍ୟୋଗ ଓଡିଶା - 2023 ଆୟୋଜନ ହେଉଛି । ଏନେଇ ଆଜି ଖାରବେଳ ଭବନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ଅଧ୍ୟକ୍ଷତା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଇପିକଲର ପ୍ରବନ୍ଧ ନିର୍ଦ୍ଦେଶକ ବି.ଏସ ପୁନିଆ ବୈଠକରେ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ- ପଶୁ ପାଳନ ଓ ଅଣ୍ଡା ଉତ୍ପାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ: ଅସିତ ତ୍ରିପାଠୀ
ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ କରବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରା ଦେଇଛନ୍ତି । ଏହି ନାରାକୁ ପ୍ରତିଫଳିତ କରିବା ପାଇଁ ଆଗକୁ ଆସିଛି ପଶ୍ଚିମ ଓଡିଶା ବିକାଶ ପରିଷଦ । ପଶ୍ଚିମ ଓଡିଶାର କ୍ଷୁଦ୍ର ଓ ମଧ୍ୟମ ଯୁବ ଉଦ୍ୟୋଗୀମାନଙ୍କୁ ମୁକ୍ତ ତଥା ବଡ ସୁଯୋଗ ଦେବା ପଶ୍ଚିମ ଓଡିଶା ବିକାଶ ପରିଷଦର ଲକ୍ଷ୍ୟ । କୃଷି, ଗୋପାଳନ, ପଶୁ ପାଳନ, ଫୁଲ ଚାଷ ଭଳି ବାଣିଜ୍ୟିକ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହନ ଦିଆଯିବ । ଏହା ସହ ଦେଶ ବିଦେଶର ସଫଳ ଉଦ୍ୟୋଗୀମାନଙ୍କୁ ପଶ୍ଚିମ ଓଡିଶା ସହ ଯୋଡିବା ପାଇଁ ଆୟୋଜିତ ହେବ ଉଦ୍ୟୋଗ ଓଡିଶା - 2023 । ଡିସେମ୍ବର 15 ରୁ 17 ଯାଏଁ 3 ଦିନ ଧରି ଝାରସୁଗୁଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏହି ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ ।
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ମିଶନ ଶକ୍ତିର ମା'ମାନେ ବର୍ତ୍ତମାନ ସଫଳ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି । ସେମାନଙ୍କୁ ଏକ ବଡ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ଉଦ୍ୟୋଗ ଓଡିଶା - 2023 । ନୂତନ ଜ୍ଞାନକୌଶଳର ବ୍ୟବହାରକୁ ବୁଝିବେ । ଏହା ସହ ବାହାର ରାଜ୍ୟରୁ ଆସିଥିବା ଉଦ୍ୟୋଗୀମାନଙ୍କ ସହ ପରିଚିତ ହେବେ ଯୁବ ଉଦ୍ୟୋଗୀ । ତେଣୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ ଏହି ତିନି ଦିନିଆ ଉଦ୍ୟୋଗ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ସମ୍ମିଳନୀକୁ ସଫଳ କରିବା ପାଇଁ ଅସିତ ଆହ୍ବାନ ଦେଇଛନ୍ତି ।
ଅଧିକ ପଢନ୍ତୁ- ବୌଦ୍ଧ ଗସ୍ତରେ ଅସିତ ତ୍ରିପାଠୀ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ସମ୍ମିଳନୀର ଆୟୋଜନ କରିବ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି । ଷ୍ଟାର୍ଟଅପ ଓଡିଶା, ଓଡିଶା ଦକ୍ଷତା ବିକାଶ, ମିଶନ ଶକ୍ତି, କୃଷି ଭଳି ବିଭାଗକୁ ସମ୍ମିଳନୀରେ ସାମିଲ କରାଯିବ । ଏଥିରେ ଅନେକ ଶିଳ୍ପାନୁଷ୍ଠାନ ଯୋଗ ଦେବା ସହ ବିଭିନ୍ନ ସଂଗଠନ ମଧ୍ୟ ଯୋଗ ଦେବେ । ପ୍ରଦର୍ଶନୀର ଆୟୋଜନ କରାଯିବା ସହ କର୍ମଶାଳା ଓ ବିଭିନ୍ନ ପ୍ରକାର ଆଲୋଚନା ପାଇଁ ସ୍ବତନ୍ତ୍ର ହଲର ବ୍ୟବସ୍ଥା କରାଯିବ । ଜନସାଧାରଣ ଏହି ପ୍ରଦର୍ଶନୀ ଦେଖିବେ । ଏହା ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ବାବଦରେ ଅବଗତ ହେବେ । ବୈଠକରେ ସିଆଇଆଇର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର