ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେମିତି କୋଟିପତି ହେଲା ରାଜଧାନୀର ରାଣୀ ମହୁମାଛି । ସେନେଇ ଖୋଳତାଡ ଆରମ୍ଭ କରିଛି ଇଡି । ୨୦୧୬ରୁ ୨୦୨୨ ମଧ୍ୟରେ ୫୦ କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି ଅର୍ଚ୍ଚନା ନାଗ । ତେବେ ସେ କେଉଁ ସୁତ୍ରରୁ ଅର୍ଥ ରୋଜଗାର କରୁଥିଲେ ତାର ରାଜ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆକ୍ଟରେ ଆରମ୍ଭ ହୋଇଛି ଛାନଭିନ ।
ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏପଟେ ଅଡୁଆରେ ପାଓ୍ବାର କରିଡରର ହେଭିଓ୍ବେଟ ନେତା । ଯେଉଁମାନେ ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଦେଇଛନ୍ତି ସେମାନଙ୍କୁ ନୋଟିସ ଜାରି କରିପାରେ ଇଡି । ତେଣୁ ଏବେଠୁ ଛାନିଆ ହେଲେଣୀ ହେଭିଓ୍ବେଟ ନେତାଙ୍କ ସହ ଅଫିସର ଓ ବିଜନେସ ମ୍ୟାନ । କୌଣସି ମୂହୁର୍ତ୍ତରେ ବି ପହଞ୍ଚି ପାରେ ଇଡିର ସମନ ଓ ହୋଇପାରେ ପଚରା ଉଚୁରା ।
କାରଣ ଅର୍ଚ୍ଚନା ନାଗଫାଶରେ ଅନେକ ହାଇପ୍ରୋଫାଇଲଙ୍କ ସମ୍ପୃକ୍ତି ରହିଥିବା ବେଳେ ଏସବୁର ରାଜ ଖୋଲିବାକୁ ଜାଲ ବିଛାଇ ସାରିଲାଣି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କିଛି ଅଧିକାରୀ ଅର୍ଚ୍ଚନାଙ୍କ ଆର୍ଥିକ କାରବାରର ଖୋଳତାଡ କରୁଛନ୍ତି । ଅର୍ଚ୍ଚନାର କେତେ ସମ୍ପତ୍ତି ରହିଛି, ସେସବୁ କେଉଁଠି କେଉଁଠି ରହିଛି ତାହା ଆକଳନ କରିଛି ଇଡି । ଏନେଇ ଅର୍ଚ୍ଚନାର ଆକାଉଣ୍ଟର ତଥ୍ୟ ଆଧାରରେ ଯାଞ୍ଚ ହେଲେ କେଉଁ କେଉଁ ହାଇପ୍ରୋଫାଇଲଙ୍କ ଆକାଉଣ୍ଟରେ ଅର୍ଥ କାରବାର ହୋଇଛି ଓ କେତେ ଟଙ୍କା ନେଣଦେଣ ହୋଇଛି ତାହା ଜଣାପଡିବ ।
ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ?
ଯେଉଁମାନଙ୍କ ସହ ଫଟୋ ଭାଇରାଲ ହେଉଛି ଅର୍ଚ୍ଚନାଙ୍କ ସହ ସେମାନଙ୍କର କେତେ ଅର୍ଥ କାରବାର ହୋଇଛି ତାର ଗୁମର ଖୋଲିବ ଇଡି। ଯାହାକୁ ନେଇ ରାଜ୍ୟ ରାଜନୀତି ଓ ପାଓ୍ବାରକରିଡର ପାଇଁ ଏହା ଏକ ଅଡୁଆ ଖିଅର ସୁତା ଭଳି ହୋଇଛି । କାରଣ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରିଛି ଇଡି । ଖୁବଶୀଘ୍ର ସମନ କରିବାକୁ ଇଡି ପ୍ରସ୍ତୁତ ହୋଇଛି । ତେବେ କେତେ ବେଳେ କାହାକୁ ସମନ କରାଯିବ ସେନେଇ ଏବେ ଭୟରେ ଥରୁଛନ୍ତି ନେତା, ମନ୍ତ୍ରୀ, ଅଫିସର ଓ ବିଜନେସ ମ୍ୟାନ ।
ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ସହିତ ଉଭୟ ବିଜେଡି ଏବଂ ବିଜେପିର ରାଜନେତାଙ୍କ ଫଟୋ ଭାଇରାଲ ହୋଇଥିଲା । ଏହାସତ୍ତ୍ବେ ଧାମନଗର ନିର୍ବାଚନୀ ପ୍ରଚାର ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାସକ ଦଳକୁ ଟାର୍ଗେଟ କରିଥିଲେ । ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ କଲେ ବଡ଼ବଡ଼ିଆ ଓ ନେତାଙ୍କ କାରନାମା ପଦାରେ ପଡ଼ିବ ବୋଲି କହିଥିଲେ । ବର୍ତ୍ତମାନ ମାମଲା ଇଡି ହାତରେ ।
ଇଡିର ତଦନ୍ତ ପ୍ରକ୍ରିୟାରେ ଲେଡି ବ୍ଲାକମେଲର ଅର୍ଚ୍ଚନା, ତାଙ୍କ ସ୍ବାମୀ ଜଗବନ୍ଧୁ, ଖଗେଶ୍ବର ଏବଂ ଅନ୍ୟ ଜଣେ ସହଯୋଗୀ ଅନ୍ତର୍ଭୁକ୍ତ । ତଦନ୍ତ ପ୍ରକ୍ରିୟାରେ କେଉଁ କେଉଁ ବଡବଡ଼ିଆଙ୍କ ନାଁ ସାମନାକୁ ଆସୁଛି ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଅର୍ଚ୍ଚନାଙ୍କ ସହ ପାଓ୍ବାର କରିଡରର କିଛି ଅଫିସରଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ପାଓ୍ବାର କରିଡରରେ ଭୟ ସଞ୍ଚାର ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର