ଭୁବନେଶ୍ବର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଏହାରି ମଧ୍ୟରେ ନିର୍ବାଚନ ପୂର୍ବ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଭାରତୀୟ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି ।
ନିର୍ବାଚନ କମିଶନଙ୍କ ଚିଠି ଅନୁସାରେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବ ନଦେବାକୁ କହିଛନ୍ତି । ସିଇଓଙ୍କ ସହ ଡେପୁଟି ସିଇଓ, ଆସିଷ୍ଟାଣ୍ଟ ସିଇଓଙ୍କୁ ବି ଦାୟିତ୍ବ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଅତିରିକ୍ତ ଦାୟିତ୍ବ ଦେଇଥିଲେ ତୁରନ୍ତ ଦାୟିତ୍ବ ମୁକ୍ତ କରିବା ସହ ସିଇଓଙ୍କୁ ବଦଳି ବା ଅନ୍ୟ କିଛି କଲେ ପୂର୍ବରୁ ଅନୁମତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରାକ ଅନୁମତି ଜରୁରୀ ବୋଲି ନିର୍ବାଚନ କମିଶନ କହିଛନ୍ତି । ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଏ ମର୍ମରେ ଚିଠି ହସ୍ତଗତ ହୋଇଛି । ଖୁବଶୀଘ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ଦାୟିତ୍ବରେ ମୁକ୍ତ କରିବେ ରାଜ୍ୟ ସରକାର ।
ଏହାମଧ୍ୟ ପଢନ୍ତୁ: ନିର୍ବାଚନ ପ୍ରସ୍ତୁତି: ଜିଲ୍ଲାପାଳଙ୍କ ସହ ନିର୍ବାଚନ ଆୟୋଗଙ୍କ ଟିମର ଆଲୋଚନା ଜାରି
ରାଜ୍ୟ ସରକାରଙ୍କ ଅଧୀନରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଅଛନ୍ତି ନିକୁଞ୍ଜ । ନିର୍ବାଚନ କମିଶନଙ୍କଠାରୁ ଚିଠି ମିଳିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ ହେବାକୁ ଯାଉଛି । ଏନେଇ ସୂଚନା ମିଳିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ସଂପୃକ୍ତି ରାଜ୍ୟ ସରକାରରେ କୌଣସି ଦାୟିତ୍ୱରେ ନରହିବାକୁ ନିର୍ଦ୍ଦେଶ ରହିଛି । ଆବଶ୍ୟକତା ଥିବା ଦର୍ଶାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଅଫିସରଙ୍କୁ ବିଭାଗୀୟ ଦାୟିତ୍ବ ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: ଆଗୁଆ ନିର୍ବାଚନ ହେଲେ କେନ୍ଦ୍ରରେ ବିରୋଧୀ ମେଣ୍ଟକୁ ଫାଇଦା ! 'ଓଡିଶାରେ ବିଜେଡି ଆଗରେ'
ପ୍ରକାଶ ଥାଉକି, କିଛି ଦିନ ତଳେ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍ ଓଡ଼ିଶା ଆସିଥିଲେ । ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ । ଯାହାପରେ ଆଗୁଆ ନିର୍ବାଚନୀ ଚର୍ଚ୍ଚା ପୁଣି ଜୋର ଧରିଥିଲା ।
ଇଟିଭି ଭାରତ, ଭୁବନେଶ୍ବର