ଖୋର୍ଦ୍ଧା: ସାମନ୍ତରାୟପୁର ଛକରେ ନିଶା ବେପାରୀଙ୍କୁ ଗୁଳି କରି ହତ୍ୟା । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବ୍ୟବସାୟିକ ଶତ୍ରୁତାକୁ ନେଇ ନିଶା ମାଫିଆ ସୋମନାଥ ଭୁଜବଳଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ମୁଖ୍ୟ ମୁଖ୍ୟ ଅଭିଯୁକ୍ତ ହେଉଛି ସଞ୍ଜୟ ପ୍ରଧାନ । ସେ ବର୍ତ୍ତମାନ ଫେରାର ଥିବା ବେଳେ ତାର ଦୁଇ ସହଯୋଗୀକୁ ଗିରଫ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ପରେ ତିନୋଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମୁକୁନ୍ଦପ୍ରସାଦ ଅଞ୍ଚଳର କାହ୍ନା ବେହେରା ଓ ରାଜ ବେହେରା ।
ଏହା ମଧ୍ୟ ପଢନ୍ତୁ-ଅଶାନ୍ତ ଖୋର୍ଦ୍ଧା: ନିଶା ବେପାରୀଙ୍କୁ ଗୁଳିମାଡ଼
ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ''ଅଭିଯୁକ୍ତକୁ ଗିରଫ ପରେ ତାଙ୍କ ନିକଟରୁ ଗୁଳିମାଡରେ ବ୍ୟବହୃତ ହୋଇଥିବା ପିକଅପ, ବୋଲେରୋ, ସ୍କର୍ପିଓ ଓ ମାରଣାସ୍ତ୍ର ଜବତ ହୋଇଛି । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିଲା । ମୁଖ୍ୟ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ। ''
ଗତ 7 ତାରିଖ ରାତିରେ ସାମନ୍ତରାୟପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକଅପ ଭ୍ୟାନରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ କରିଥିଲେ । ଫଳରେ ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା । ଜୀବନ ବଞ୍ଚାଇବାକୁ ସେ ପାଖରେ ଥିବା ଜଣଙ୍କ ଘରକୁ ରକ୍ତାକ୍ତ ଅବସ୍ଥାରେ ପଶି ଯାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ବି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସଙ୍ଗେ ସଙ୍ଗେ ଅନ୍ୟ ଜଣେ ଯୁବକ ସୋମନାଥଙ୍କୁ ବାଇକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନିଶା ମାଫିଆ ସୋମନାଥ ଭୁଜବଳଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଉପରକୁ 8 ରାଉଣ୍ଡ ଗୁଳି ଚଳାଇଥିଲେ ଅଭିଯୁକ୍ତ । ଏବେ ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ।
ଏହା ମଧ୍ୟ ପଢନ୍ତୁ-ଗୁଳିମାଡ଼ରେ ଆହତ ନିଶା ବେପାରୀ ମୃତ
ଏଠାରେ ସୂଚନା ଥାଉକି, ମୃତକ ସୋମନାଥ 2014 ରୁ 2021 ମଧ୍ୟରେ ବ୍ରାଉନସୁଗାର କାରବାର କରି କୋଟିକୋଟି ଟଙ୍କା ରୋଜଗାର କରିଥିଲା । 2021ରେ ପୋଲିସ ତାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିଥିଲା । ଏବେ ବି ସୋମନାଥ ନାଁରେ ଖୋର୍ଦ୍ଧା, ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି।
ଇଟିଭି ଭାରତ, ଖୋର୍ଦ୍ଧା