ଖୋର୍ଦ୍ଧା: ଥଇଥାନ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା । ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସଭାପତିତ୍ୱରେ ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କ ତୁରନ୍ତ ଥଇଥାନ ଦାବିରେ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ରାସ୍ତାରୋକ ଓ ଗଣ ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ ପ୍ରଶାସନ ତୁରନ୍ତ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଦେବାକୁ ଦାବି କରିଥିଲେ ।
ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବିରେ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ଓ ଆନ୍ଦୋଳନ ଚାଲିଥିଲା । ରେଳବାଇ ଲୋକ କଲୋନୀ ଓ ବାଛରା ମୁଣ୍ଡିଆ ଠାରେ ବିଡିଏ କରୁଥିବା ପାର୍କ ଦ୍ୱାରା ଉଚ୍ଛେଦ ହେଉଥିବା ଜନସାଧାରଣ ମାନଙ୍କୁ ଥଇଥାନ କରିବା ସହିତ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ସେମାନଙ୍କୁ ଘର ଡିହ ଯୋଗାଇବା ପାଇଁ ବିଧାୟକ ସୁର ରାଉତରାୟ ପ୍ରଶାସନକୁ ନିବେଦନ କରିଥିଲେ । ଗତ ପନ୍ଦର ଦିନ ତଳେ ବିଧାୟକ ନାଗରିକ କମିଟିର ପ୍ରତିନିଧି ମଣ୍ଡଳୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଥଇଥାନ ସମସ୍ୟାକୁ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ସୋମବାର ପୁନର୍ବାର ଏହି ରାସ୍ତାରୋକ ଦ୍ୱାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ରୁମାନୀ ଜାଫ୍ରିଙ୍କ ଜରିଆରେ ତୁରନ୍ତ ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ନିବେଦନ କରିଥିଲେ ।
ଏନେଇ ବିଧାୟକ କହିଛନ୍ତି, " ସାଧାରଣ ଲୋକଙ୍କ ହକ୍କୁ ସରକାର ଛଢ଼ାଇ ନେଇ ପାରିବେନି । ଉଚ୍ଛେଦ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଅନୁରୋଧ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ତୁରନ୍ତ ବାସହୀନଙ୍କୁ ଜମି ପଟ୍ଟା ଦେବାକୁ ବ୍ୟବସ୍ଥା କରାଯାଉ । ଯଦି ଆସନ୍ତା ଏକ ମାସ ଭିତରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ନମିଳେ । ତେବେ ମ୍ୟୁନିସିପାଲଟି ଅଫିସ ଏବଂ ତହସିଲ ଅଫିସରେ ତାଲା ପକାଇବୁ । ପଟ୍ଟା ନିମିଳିବା ଯାଏ ଅନଶନରେ ବସିବୁ ।"
ତେବେ ସ୍ଥାନୀୟ ଜଟଣୀ ଥାନା ଅଧିକାରୀ ଓ ତହସିଲଦାର ଆଗାମୀ ଦୁଇ ମାସ ମଧ୍ୟରେ ଚିହ୍ନଟ ହୋଇଥିବା ହାରାହାରି ତିନି ଏକର ଜାଗାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯିବା ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରିଥିଲା ଜଟଣୀ ନାଗରିକ କମିଟି । ଉକ୍ତ କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦା ସଙ୍ଘର ସଭାପତି ଯୋଗେଶ ନାୟକ, ନୌସିର ଅଲ୍ଲୀ, ଜଟଣୀ ଟାଉନ ସଭାପତି ଅଶୋକ ମଙ୍ଗରାଜ, ଲୁସେନ ରାୟ, ସ୍ମୃତି ରଞ୍ଜନ ସାହୁ, ଲୁଲୁ ବଡ଼ଜେନା,ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା