![ମିଳିମିଳା ଓ ରୁବେଲାକୁ ନେଇ ଆଲୋଚନା ଚକ୍ର](https://etvbharatimages.akamaized.net/etvbharat/prod-images/17242624_measeles.jpeg)
ମୁମ୍ବାଇ: ସାରା ବିଶ୍ୱ କୋରୋନା ସହିତ ସଙ୍ଘର୍ଷ କରୁଥିବାର ସମୟ ଆମେ ଦେଖିଛେ । ଆମ ଦେଶ ପୋଲିଓ ଭଳି କୋରୋନା ଉପରେ ମଧ୍ୟ ପ୍ରାୟ ବିଜୟ ଲାଭ କରିଛି । ଏବେ କିନ୍ତୁ କୋରୋନା ପରେ ଚିନ୍ତା ବଢାଉଛି ମିଳିମିଳା । ମିଳିଥିବା ସୁଚନା ଅନୁସାରେ ଗତ ୮ ମାସରେ ୫ ବର୍ଷରୁ କମ ବୟସର ଶିଶୁଙ୍କୁ ମିଳିମିଳା ନିଜ କବଜାକୁ ନେଉଛି । ଏନେଇ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ମିଳିମିଳା ଓ ରୁବେଲାକୁ ନେଇ WHO ସଚେତନତା କରିବ ବୋଲି ଜଣାପଡ଼ିଛି । ୟୁନିସେଫ ତରଫରୁ ମୁମ୍ବାଇରେ ମିଳିମିଳା ଓ ରୁବେଲାକୁ ନେଇ ଦୁଇଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
![ମିଳିମିଳା ଓ ରୁବେଲାକୁ ନେଇ ଆଲୋଚନା ଚକ୍ର](https://etvbharatimages.akamaized.net/etvbharat/prod-images/17242624_measeles1.jpeg)
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଆସିଥିବା ସାମ୍ବାଦିକ, ସମାଜସେବୀ ଓ ସ୍ୱାସ୍ଥ୍ୟକର୍ମୀ ଭାଗ ନେଇଥିଲେ । ଏହି ରୋଗରୁ ଶିଶୁଙ୍କୁ କିପରି ବଞ୍ଚାଇ ହେବ ସେନେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ବରିଷ୍ଠ ସାମ୍ବାଦିକ ପଙ୍କଜ ପଚୌରି ସଞ୍ଜୟ ଅଭିଜ୍ଞାନ ସଚେତନତା କରିଥିଲେ । ୨୦୨୩ ସୁଦ୍ଧା ମିଳିମିଳାରୁ ରକ୍ଷା ପାଇବା ପାଇଁ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି କହିଥିଲେ । ଅନ୍ୟପଟେ ଓଡ଼ିଶାର ଅନେକ ବିଛିନ୍ନାଞ୍ଚଳର ଅଧିବାସୀମାନେ ଏହି ରୋଗକୁ ଦେବତା ରୂପେ ପୂଜା କରୁଥିବାରୁ ଏଠାରେ ସଚେତନତା ଶିବିର ବହୁତ ଜରୁରୀ ହୋଇପଡିଛି । ଏଥିପାଇଁ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ମିଳିମିଳା ଓ ରୁବେଲାକୁ ନେଇ WHO ସଚେତନତା କରିବ ବୋଲି ଜଣାପଡ଼ିଛି ।
ଏହାସହ ୟୁନିସେଫ ତରଫରୁ ୬ ମାସରୁ ନେଇ ୫ ମାସର ଶିଶୁ ପର୍ଯ୍ୟନ୍ତ କେମିତି ସଂକ୍ରମିତ ହେବେନାହିଁ ସେ ଦିଗରେ ପଦକ୍ଷେପ ନିଆଯାଉଥିବା ଡାକ୍ତର କହିଛନ୍ତି । କମ ବୟସର ପିଲାଙ୍କ କ୍ଷେତ୍ରରେ ନିମୋନିଆ ଓ ଡାଇରିଆ ଭଳି ଲକ୍ଷଣ ଦେଖାଯାଉଛି । ଆଖି ଲାଲ୍ ସହ କାନ ମଧ୍ୟ ଦରଜ ହେଉଛି । ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ଭାକ୍ସିନ ନେବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ମିଳିମିଳା ଏକ ସଂକ୍ରାମକ ରୋଗ ଭୂତାଣୁରୁ ଏହା ଲୋକମାନଙ୍କୁ ସଂକ୍ରମିତ ହୋଇଥାଏ । ଛୋଟ ପିଲାଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହୋଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବାର ୧୦ରୁ ୧୪ ଦିନ ପରେ ମିଳିମିଳାର ଲକ୍ଷଣ ଦେଖାଯାଏ । ଭାରତରେ ପାଖାପାଖି ୨୩ ହଜାର ମିଳିମିଳା ରୋଗୀ ଅଛନ୍ତି । ଏନେଇ WHOର ଉପଦେଷ୍ଟା ଚିକିତ୍ସକ ଆଶିଷ ଚୌହାନ କହିଛନ୍ତି, "୨୦୨୩ ସୁଦ୍ଧା ମିଳିମିଳାରୁ ସାରା ଦେଶକୁ ମୁକ୍ତ କରିବାର ଅଛି । ଆଉ ଏଥିପାଇଁ ବିକଳ୍ପ ହେଉଛି ଭ୍ୟାକ୍ସିନ । ତେଣୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଭ୍ୟାକ୍ସିନ ଦେଇ ଆମେ ଏହି ରୋଗରୁ ଦୂରେଇ ରଖିପାରିବା ।"
ଇଟିଭି ଭାରତ, ଭୁବନେଶ୍ବର