ଖୋର୍ଦ୍ଧା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ଶନିବାର) ବରୁଣେଇ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ, ସ୍ମାରକୀ ନିର୍ମାଣ ପାଇଁ ଦାୟିତ୍ବରେ ଥିବା ଆଇଓସିଏଲ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ଏକର ଓ ୬୮୫ ଡିସିମିଲ ଜାଗା ଚିହ୍ନଟ କରାଯାଇଛି । ତେବେ ପ୍ରତିଷ୍ଠା କାର୍ଯ୍ୟ ପାଇଁ ଏହାକୁ ଖୁବଶୀଘ୍ର ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେପଟେ ରାଜ୍ୟ ସରକାର ଜମି ଯୋଗାଇଦେବା ପରେ ଏହି ସ୍ମାରକୀ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ଆଇଓସିଏଲ ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା