ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ବକପ । ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ଏହି କ୍ରୀଡା ମହାକୁମ୍ଭ । ଜାନୁଆରୀ ୧୩ ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ବକପ । ଏହା ପୂର୍ବରୁ ରାଉରକେଲାକୁ ବିମାନ ଉଡ଼ିବା ନେଇ ଆଶା ସଞ୍ଚରିତ ହୋଇଛି । ଆସନ୍ତାକାଲି(ବୁଧବାର) ରାଉରକେଲା ବିମାନବନ୍ଦର ତଦାରଖ ଲାଗି ଆସିବ ଡିଜିସିଏର ଦୁଇ ଜଣିଆ ଟିମ ।
ଡିଜିସିଏ ଟିମ୍ ଡିସେମ୍ବର ୧୩ରୁ ୧୫ ଯାଏଁ ରାଉରକେଲା ଗସ୍ତ କରି ବିମାନବନ୍ଦର ସ୍ଥିତି ଅନୁଧ୍ୟାନ କରିବ, ଏଥିସହ ରାଉରକେଲାକୁ ବିମାନ ଉଡାଣ ନେଇ ରିପୋର୍ଟ ଦାଖଲ କରିବ । ଏହାପରେ ରାଉରକେଲାକୁ ବିମାନ ଉଡାଣ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ହକି ବିଶ୍ଵକପ ଆଉ ମାତ୍ର କମ ଦିନ ଥିବାରୁ ବିଦେଶକୁ ବିମାନ ଉଡ଼ିବା ନେଇ ମଧ୍ୟ ଆଶା ଆଶଙ୍କାରେ ରହିଛି ।
ଏହା ମଧ୍ୟ ପଢନ୍ତୁ-ଚିକିତ୍ସା ବାହାନାରେ ନାବାଳିକାଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ
ସୂଚନା ଅନୁଯାୟୀ, ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ଵକପ । ଅନେକ ଦେଶରୁ ହକି ପ୍ରେମୀ ଓଡିଶା ଆସିବେ । ଏହା ସହ ବିଦେଶକୁ ସିଧାସଳଖ ବିମାନ ସେବା ହେବା ଦ୍ଵାରା ଅନେକ ପର୍ଯ୍ୟଟକ ଅନ୍ୟ ଦେଶରୁ ରାଜ୍ୟକୁ ଆସିପାରନ୍ତେ ଏବଂ ରାଜ୍ୟରୁ ଅନ୍ୟ ଦେଶକୁ ଯାଇପାରନ୍ତେ ମଧ୍ୟ । ବିଶେଷ ଭାବରେ ଭୁବନେଶ୍ୱରରୁ କୁଆଲାଲୁମ୍ପୁର, ଦୁବାଇ ଏବଂ ସିଙ୍ଗାପୁରକୁ ପୁନର୍ବାର ସିଧାସଳଖ ବିମାନ ଉଡ଼ିବା ନେଇ ଯୋଜନା କରାଯାଉଛି । ତେବେ ବିମାନ କେବେ ଉଡିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
କ୍ରମାଗତ ଦ୍ବିତୀୟ ଥର ପାଇଁ ଓଡି଼ଶା ସରକାର ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ଆସନ୍ତାବର୍ଷ(୨୦୨୩) ଜାନୁଆରୀରେ ହେବାକୁ ଥିବା FIH ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଓଡି଼ଶା ସରକାର ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅନୁମାନ କରାଯାଉଛି । ଗତଥର ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ବକପ ଆୟୋଜନ ପାଇଁ କେବଳ ୬୬.୭୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ମାତ୍ର ଏଥର ଖର୍ଚ୍ଚ ପରିମାଣ ପ୍ରାୟ ୧୬ ଗୁଣା ବୃଦ୍ଧି କରି ୧,୦୯୮.୪୦ କୋଟି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର