ଖୋର୍ଦ୍ଧା: ଟାଙ୍ଗୀ ବ୍ଲକ୍ ଭୂଷଣ୍ଡପୁର ଜଗନ୍ନାଥପୁର ମୌଜାରେ ଚିଲିକାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆରମ୍ଭ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଚିଙ୍ଗୁଡ଼ି ଘେରି ଗୁଡିକର ଉଚ୍ଛେଦ ଆରମ୍ଭ କରାଯାଇଛି ।
ଚିଲିକା ମଧ୍ୟରେ ଦୀର୍ଘଦିନରୁ ଚିଙ୍ଗୁଡ଼ି ଘେରି ନିର୍ମାଣ କରିବା ସହ ଘେରି ମଧ୍ୟରେ ମଲା ଜୀବଜନ୍ତୁ ଓ ରାସାୟନିକ ଔଷଧ ପକାଇ ଜଳକୁ ଦୂଷିତ କରାଯାଉଥିଲା । ଏପରିକି ଚିଲିକା ମଧ୍ୟରେ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆଜିର ଏହି ଉଚ୍ଛେଦ ପ୍ରକ୍ରିୟାରେ ଟାଙ୍ଗୀ ତହସିଲଦାର ଓ ଚିଲିକା ତହସିଲଦାର ଉପସ୍ଥିତ ଥିବା ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଶୁକ୍ରବାର ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ