ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶା ଆସିବ ଡାକୋଟା ଭିଟି-ଏୟୁଆଇ ବିମାନ । ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା 16 ତାରିଖ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବା ନେଇ ସୂଚନା ରହିଛି (Dakota Plane To Return Odisha Soon) । ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବା ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଛି । ଏଥିପାଇଁ କୋଲକାତା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନର ବିଭିନ୍ନ ଅଂଶକୁ ଅଲଗା କରାଯାଇଛି । ଏରୋସ୍ପେସ ରିସର୍ଚ୍ଚ ଡେଭଲପମେଣ୍ଟ ସେଣ୍ଟର ମହାପ୍ରବନ୍ଧକ ଦେବାଶିଷ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଡାକୋଟା ବିମାନର ଦୁଇଟି ଡେଣା ଖୋଲା ସରିଛି ।
ଡାକୋଟା ବିମାନକୁ(Biju Patnaik's Iconic Dakota Aircraft) ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଅବସ୍ଥାପିତ କରାଯିବ । ଏକ ବଡ଼ ଗାଡ଼ିରେ ଏହି ବିମାନକୁ ଭୁବନେଶ୍ୱର ଅଣାଯିବାକୁ ଥିବା ଜଣାପଡିଛି । ଏବେ ଆସନ୍ତା ୧୨ ତାରିଖରେ ସଡକ ପଥରେ କିଭଳି ଆସିବ ସେନେଇ ପ୍ରକ୍ରିୟାକୁ ଆରମ୍ଭ ହେବ । ଏନେଇ ଏକ ଚିଠିରେ ଦର୍ଶାଯାଇଛି ଯେ, ପଶ୍ଚିମବଙ୍ଗ ପୋଲିସ ୧୨ ଜାନୁଆରୀରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରୁ ରାଜ୍ୟ ସୀମାକୁ ସୁରକ୍ଷା ଦେଇଆସିବ । ଯେଉଁଠାରୁ ଓଡ଼ିଶା ପୋଲିସ ଭୁବନେଶ୍ଵର ବିମାନବନ୍ଦର ପର୍ଯ୍ୟନ୍ତ ସୁରକ୍ଷାର ସହିତ ବିମାନଟିକୁ ଆଣିବ । ପଶ୍ଚିମବଙ୍ଗ ପୋଲିସ ସହିତ ସମନ୍ୱୟ ରକ୍ଷା କରିବା ସହ କିଭଳି ବିମାନଟି ସୁରକ୍ଷାର ସହ ଆସିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି ।
ସୂଚନା ଅନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଯାହାକୁ ଓଡ଼ିଶା ଆଣିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଛି । ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍ ଭାବେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ ।
ପ୍ରକାଶଥାଉ କି, ୧୯୪୭ ମସିହାରେ ବିଜୁ ପଟ୍ଟନାୟକ ଏହି ଡାକୋଟା ବିମାନ ସାହାଯ୍ୟରେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ବିଭିନ୍ନ ମହଲରେ ଏହି ବିମାନକୁ ଫେରାଇ ଆଣିବାର ଦାବି ହେଉଥିବା ବେଳେ ଏହାକୁ କୋଲକାତାରୁ ଓଡ଼ିଶା ଅଣାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର