ଭୁବନେଶ୍ବର: ଜିଜ୍ଞାସା ଚାହିଁଥିଲେ ବଞ୍ଚିପାରିଥାନ୍ତେ ଡିଜେ ଆଜେକ୍ସ । ଏଭଳି କିଛି କଥା କହି ଭାଇକୁ ମନେ ପକାଇଛନ୍ତି ଡିଜେ ଆଜେକ୍ସଙ୍କ ଭଉଣୀ ଅନିଶା ରାଣୀ । ତାଙ୍କ ଭାଇର ମୃତ୍ୟୁ ପୂର୍ଵର କିଛି ଦିନର ଯଦି ସିସିଟିଭି ଫୁଟେଜ ଯାଞ୍ଚ କରାଯାଏ ତେବେ ଜିଜ୍ଞାସା ଆଉ ଆଜେକ୍ସଙ୍କ ଝଗଡା, ଜିଜ୍ଞାସାଙ୍କ ବୁଲାବୁଲିର ତଥ୍ୟ ମଧ୍ୟ ମିଳିପାରିବ ବୋଲି ସେ କହିଛନ୍ତି । ପୋଲିସ ଡିଜିଟାଲ ଡାଟାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ଆଜେକ୍ସଙ୍କ ମୃତ୍ୟୁ ପାଇଁ ନେଇଥିବା ନିଷ୍ପତି ଓ ମନସ୍ତତ୍ଵ ବିଷୟରେ ଜିଜ୍ଞାସାକୁ ବେଶ ଭଲ ଭାବରେ ଜଣାଥିଲା ବୋଲି କହିଛନ୍ତି ଭଉଣୀ । ଆଉ ଏ ବିଷୟରେ ଯଦି ତାଙ୍କ ଘର ଲୋକଙ୍କୁ ସେ ଜଣାଇପାରିଥାନ୍ତେ ତେବେ ତାଙ୍କ ଭାଇ ବଞ୍ଚିପାରିଥାନ୍ତା ବୋଲି ସେ କହିଛନ୍ତି । ଅକ୍ଷୟଙ୍କ ମୃତ୍ୟୁର ଗୋଟେ ଦିନ ପୂର୍ବରୁ ବାନ୍ଧବୀ ଜିଜ୍ଞାସା ଭଉଣୀ ଅନିଶାଙ୍କୁ ସବୁକିଛି ଠିକ ଅଛି ବୋଲି ଇନଷ୍ଟାରେ ମେସେଜେ କରି କହିଥିଲେ । ଏହାକୁ ନେଇ ଭଉଣୀ କହିଛନ୍ତି ଯେ ଯେହେତୁ ସେ ଆତ୍ମହତ୍ୟା ଦିନ ଘରେ ଥିଲା ଆମେ ତାକୁ ଜଗିପାରିଥାନ୍ତୁ ଆଉ ମୋ ଭାଇ ବଞ୍ଚିପାରିଥାନ୍ତା । କିନ୍ତୁ ତାହା ହେଲା ନାହିଁ ମୋ ଭାଇର ଜୀବନ ଅକାଳରେ ଚାଲିଗଲା ।
ସେ ଆହୁରି କହିଛନ୍ତି ଯେ ଗତ ୩ମାସ ହେବ ଅକ୍ଷୟଙ୍କ ମାନସିକ ସ୍ଥିତି ଭଲ ନଥିଲା । ସେ ସବୁଦିନ ଦେହ ଭଲ ଲାଗୁନି ବୋଲି କହିବା ସହ ଜ୍ବର ଲାଗୁଛି, ଫ୍ୟାନ ଲାଗିବା ସତ୍ତ୍ବେ ଗରମ ହେଉଛି ବୋଲି କହୁଥିବା କହିଛନ୍ତି ଭଉଣୀ । ଏଣୁ ତାଙ୍କ କଥା ସବୁବେଳେ ଘର ଲୋକ ପଚାରି ବୁଝୁଥିଲେ । ମାତ୍ର ସେ ପ୍ରେମ ପ୍ରତାରଣା ଯୋଗୁଁ ଏପରି ଆଚରଣ କରୁଥିବା ନେଇ କାହାକୁ ଆଭାସ ନଥିଲା । ସେପଟେ ଆଜି ପର୍ଯ୍ୟନ୍ତ ଯାହା ତଥ୍ୟ ପୋଲିସକୁ ମିଳିଛି ଓ ଆମେ ଦେଇଛୁ ତାହାକୁ ଆଧାର କରି ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ବୋଲି ଆଜେକ୍ସଙ୍କ ବାପା ଦାବି କରିଛନ୍ତି ।
ଏହା ବି ପଢନ୍ତୁ- ପ୍ରେମ ପ୍ରତାରଣାରେ ଜଳୁଥିଲେ ଆଜେକ୍ସ, ସାମ୍ନାକୁ ଆସିଲା ମୃତ୍ୟୁ ପୁର୍ବର ଶେଷ ଅଡିଓ
ଆଜେକ୍ସଙ୍କ ଭଉଣୀ ଅନିଶା ପୋଲିସ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତ୍ୟୁ ପୂର୍ବଦିନ ରାତିରେ ଆଜେକ୍ସ ତାଙ୍କ ମୋବାଇଲକୁ କରିଥିବା ମେସେଜ ପୋଲିସକୁ ଦେଖାଇଛନ୍ତି । ଯେଉଁଥିରେ ଆଜେକ୍ସ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ସହ ପାସୱାର୍ଡ, ଆଇଫୋନର ପାସୱାର୍ଡ ଓ ଏଟିଏମ ପାସୱାର୍ଡ ମଧ୍ୟ ପଠାଇଛନ୍ତି । କିନ୍ତୁ ବିଳମ୍ବିତ ରାତିରେ ପଠାଇଥିବାରୁ ଅନିଶା ଏହାକୁ ଦେଖି ପାରିନଥିଲେ । ଆଉ ଦେଖିଲା ବେଳକୁ ତାଙ୍କ ଭାଇ ଆଉ ଏହି ଦୁନିଆରେ ନଥିଲେ । ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ତାଙ୍କୁ ନୋମିନି କରିବେ ବୋଲି କହି ଏଭଳି ସେ ମେସେଜ କରୁଥିଲେ ବୋଲି ସେ କହିଛନ୍ତି ।
ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣାରେ ଡିଜିଟାଲ ଡାଟାକୁ ନେଇ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ । ଏନେଇ ଖାରବେଳ ନଗର ଥାନାରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ୍ ପହଞ୍ଚି ଆଜେକ୍ସ ଓ ତାଙ୍କ ପ୍ରେମିକାଙ୍କ ମୋବାଇଲ ଓ ଇମେଲକୁ ଯାଞ୍ଚ କରୁଛି । ଡିଲିଟ ହୋଇଥିବା ମେସେଜ ଓ ଚାଟକୁ ରିଟ୍ରାଇଭ କରିବା ଜାରି ରଖିଛି । ଅକ୍ଷୟଙ୍କ ମୃତ୍ୟୁରେ ଅନଲାଇନ କମ୍ୟୁନିକେସନ ବା ଡିଜିଟାଲ ତଥ୍ୟର ସମ୍ପୃକ୍ତି ଥିବାରୁ ଏହି ତଦନ୍ତ କରାଯାଉଛି ବୋଲି ସାମ୍ବାଦିକ ସମିଳନୀରେ କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।
ସେ କହିଛନ୍ତି, "ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମା'ଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ଅକ୍ଷୟଙ୍କ ଭଲପାଇବା କାହାଣୀରେ ଅନଲାଇନ କମ୍ୟୁନିକେସନ ସମ୍ପୃକ୍ତ ଥିବାରୁ ଟେକ୍ନିକାଲ ଟିମ୍ର ସହଯୋଗ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ପ୍ରତ୍ୟେକ ଲୋକଙ୍କୁ ତଦନ୍ତ କରାଯାଉଛି ଏବଂ ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏ ଦିଗରେ କଣ ନୂଆ ତଥ୍ୟ ଆସୁଛି ଓ ଡିଜିଟାଲ ଡାଟା କଣ କହୁଛି ଓ ମୃତ୍ୟୁର କେଉଁ ଦିଗକୁ ସୂଚାଉଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ ।"
ଅନ୍ୟପଟେ ଗତକାଲି ପୋଲିସ ହାତରେ ଲାଗିଛି ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପ୍ରେମିକାଙ୍କୁ ପଠାଇଥିବା ଶେଷ ମେଲ୍, ଅଡିଓ କ୍ଲିପ ଓ କିଛି ଫଟୋ । ଯେଉଁଥିରେ ବ୍ରେକଅପ୍ କାରଣରୁ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା କଥା ଆଜେକ୍ସ ସ୍ବୀକାର କରିଛନ୍ତି । ତାଙ୍କ ପ୍ରେମିକାଙ୍କୁ କିଭଳି ନିଜଠୁ ଅଧିକ ଭଲ ପାଉଥିଲେ ତାହାକୁ ଅଡିଓ କ୍ଲିପ୍ରେ ରେକର୍ଡ କରିଛନ୍ତି । ପ୍ରେମିକାର ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ସହିପାରିନଥିଲେ ଡିଜେ ଆଜେକ୍ସ । ଏହାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଡିଓ କ୍ଲିପରେ ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର