ଖୋର୍ଦ୍ଧା: କୋରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିଛି । ବର୍ତ୍ତମାନ ସୁଦ୍ଧା ମହାମାରୀ ଦେଶରୁ କମିବାର ନାଁ ନେଉନି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରାକାର ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ଲେଖନପୁର ଗାଁରେ ସରକାରଙ୍କ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଛି ।
ଗୁରୁବାର ଖୋର୍ଦ୍ଧା ଜିଲ୍ଲା ଏସପି ଜିଲ୍ଲାବାସୀଙ୍କୁ ବାଣ ନଫୁଟାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । ହେଲେ ବାଘମାରି ଥାନା ଲଖନପୁର ଗାଁରେ ପୋଷ୍ଟର ମାରି ଦୋକାନରେ ବାଣ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଛି । ମା’ମଙ୍ଗଳା ନାମକ ବାଣ ଦୋକାନ ଆଗରେ ରାସ୍ତା କଡରେ ‘ଏଠାରେ ସବୁ ପ୍ରକାର ବାଣ ତିଆରି ଓ ବିକ୍ରି ହୁଏ ବୋଲି’ ପୋଷ୍ଟରରେ ଲେଖାଥିବା ଦେଖିବାକୁ ମିଳିଛି ।
ଦୀପାବଳୀ ପାଇଁ ସରକାର ମାସେ ହେବ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି ହେଲେ ସରକାରଙ୍କର ଏ ନିୟମକୁ ବାଣ ବ୍ୟବସାୟୀଙ୍କ ସିଧାସଲଖ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି । ତେବେ ବଡ କଥା ହେଉଛି ପୋଷ୍ଟର ମରାଥିବା ସେହି ରାସ୍ତା ଦେଇ ପୋଲିସ ବାରମ୍ବାର ପାଟ୍ରୋଲିଂ କରୁଥିଲେ ବି ଏ ଘଟଣା ପୋଲିସର ନଜରକୁ ଆସିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ