ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହରିଲୁଟ। ଘର ହୋଇନି, କିନ୍ତୁ ପାସ ହୋଇଯାଇଛି ବିଲ । ପଥର ଖଣ୍ଡେ ବି ପଡିନି, କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନହୋଇ ବିଲ ସରିଲାଣି । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବେଗୁନିଆ ବ୍ଲକ ଅନ୍ତର୍ଗତ କୋଚିଆଖାଲ ଗାଁର ସଦାଶିବ ବେହେରା ।
ମିଳିଥିବା ସୂଚନାନୁଯାୟୀ, ଉକ୍ତ ଗାଁର ସୁଶାନ୍ତ କୁମାର ମଙ୍ଗରାଜଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପକ୍କା ଘର ମିଳିଥିଲା । କିନ୍ତୁ ସେ ଘର ନକରି ପଞ୍ଚାୟତର ପିଇଓ ଓ ଜିଆରଏସଙ୍କୁ ମୋଟା ରକମର ହାତଗୁଞ୍ଜା ଦେଇ ନିଜ ଟଙ୍କାରେ ଘର ନିର୍ମାଣ କରିଥିବା ସଦାଶିବଙ୍କ ଘରକୁ ଦେଖାଇ ନିଜ ଘର କହି ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଟଙ୍କାକୁ ତିନୋଟି କିସ୍ତି ଉଠାଇ ନେଇଛନ୍ତି । ଏହି ଘଟଣା ସଦାଶିବ ଜାଣିବାପରେ ପ୍ରତିବାଦ କରି ଘଟଣା ସମ୍ପର୍କରେ ବେଗୁନିଆ ବିଡ଼ିଓ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ପିଡ଼ିଙ୍କୁ ଜଣାଇଛନ୍ତି । ଘଟଣା ସମ୍ପର୍କରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ ବେଗୁନିଆ ବିଡ଼ିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହୁଛନ୍ତି ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
ସେହିପରି ଦେଉଳି ସରପଞ୍ଚ ଏହି ଘଟଣା ସମ୍ପର୍କରେ ଜାଣିନଥିବା କହିବା ସହ ପିଇଓ ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ବର୍ଷିଛନ୍ତି । କିନ୍ତୁ ବିଡ଼ିଓ ଏହି ଘଟଣାର ଅଭିଯୋଗ ପାଇବା ପରେ ମଧ୍ୟ କାହିଁକି ଚୁପ ରହିଛନ୍ତି ଓ ଏଥିରେ ତାଙ୍କର ସମ୍ପୁକ୍ତି ଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ