ଭୁବନେଶ୍ବର: ଅସହ୍ୟ ତାତିରେ ସିଜୁଛି ସମଗ୍ର ଓଡିଶା । ପ୍ରଚଣ୍ଡ ରୌଦ୍ର ତାପରୁ ଜୀବଜଗତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାରି ଭିତରେ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ । ଘନଘନ ବିଜୁଳି କାଟ ଅସହ୍ୟ ଗରମ ସ୍ଥିତିକୁ ଅଧିକ ସଙ୍ଗୀନ କରି ଦେଇଛି । ଫଳରେ ସାରା ଓଡ଼ିଶାରେ ଏବେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଓଡିଶା ଶକ୍ତି ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାରମ୍ବାର ବିଦ୍ୟୁତ କାଟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ ଶାସକ ଦଳ ଉପରେ ବର୍ଷିଛନ୍ତି । ବିଦ୍ୟୁତ କାଟ ନେଇ ବିଜେପି ଆନ୍ଦୋଳନ କରୁଥିବା ବେଳେ ଆସନ୍ତାକାଲି ସରକାରଙ୍କ ବିଜୁଳି ବିରୋଧୀ ଆଭିମୁଖ୍ୟ ନେଇ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବ ।
ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ନେଇ ଆସନ୍ତାକାଲି ଇଡ୍କୋ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ଏଥିରେ ସମସ୍ତ ଜିଲ୍ଲା ଏବଂ ବ୍ଲକରୁ ଶହଶହ କଂଗ୍ରେସ କର୍ମୀ ସାମିଲ ହେବେ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, " ବିଦ୍ୟୁତ ବଳକା ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ହେଲେ ଟେକ୍ନିକାଲ ପ୍ରସଙ୍ଗ ଏବଂ ଦୁର୍ବଳ ଭିତ୍ତିଭୂମି ଦ୍ୱାହି ଦେଇ ଶକ୍ତିମନ୍ତ୍ରୀ ଚୁପ ବସିଛନ୍ତି । ଫଳରେ ସରକାର ଏବେ ଅଡୁଆ ପରିସ୍ଥିତିରେ । ଏପରିକି ଶକ୍ତି ବିତରକ କମ୍ପାନୀ ଟାଟାର ମନମାନି ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କ ନିଦ ହଜାଇ ଦେଇଛି । ମନ ଇଚ୍ଛା ବିଲ ଆଦାୟ କରିବା ସାଧାରଣ ଖାଉଟି ପାଇଁ ଏକ ଜୁଲମ ସଦୃଶ ପାଲଟି ଯାଇଛି । ଏହାର ତୀବ୍ର ବିରୋଧ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବେ । ଶକ୍ତିମନ୍ତ୍ରୀ ବିଦ୍ୟୁତ ବିତରକ କମ୍ପାନୀମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ସାଧାରଣ ଖାଉଟି ପାଇଁ ଅତ୍ୟାବଶ୍ୟକ ସେବା କଥା ଭୁଲି ଯାଇଛନ୍ତି । ଗ୍ରାମାଞ୍ଚଳରେ ବିଦ୍ୟୁତ ରହୁନାହିଁ, ଏଭଳି ଖରା ଓ ଗୁଳୁଗୁଳି ସମୟରେ ଘନଘନ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀ ଭୁବନେଶ୍ବର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଲୋକଙ୍କ ସମସ୍ୟାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ।"
ସେ ଆହୁରି ମଧ୍ୟ କହିଛନ୍ତି, 25 ବର୍ଷ ଶାସନରେ ରହି କିଛି କରିପାରିଲେ ନାହିଁ l ଭୂତଳ ବିଦ୍ୟୁତ ବ୍ୟବସ୍ଥା ଯଦି କରିଥାନ୍ତେ ତାହେଲେ ଏପ୍ରକାର ଅବସ୍ଥା ହୋଇନଥାନ୍ତା । କିନ୍ତୁ ବିଜେଡି ସରକାରଙ୍କ ଏଥିପ୍ରତି ଦୂର ଦୃଷ୍ଟି ନାହିଁ l ତେଣୁ ଏହା ବିରୋଧରେ ପ୍ରତିବାଦ ଜୋରଦାର ହେବ l ସରକାର ନଶୁଣିଲେ ଜିଲ୍ଲା ସ୍ତରରେ ବ୍ଲକ ସ୍ତର ଓ ପଞ୍ଚାୟତ ସ୍ତରରେ ଏ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଇଟିଭି ଭାରତ, ଭୁବନେଶ୍ବର