ଭୁବନେଶ୍ବର: ଆଜିଠୁ କଂଗ୍ରେସର ତିନି ଦିନିଆ ଜାତୀୟ ଅଧିବେଶନ ଆରମ୍ଭ ହୋଇଛି । ଏଥିରେ ଦଳର ତୁଙ୍ଗ ନେତାଙ୍କ ସମେତ ପ୍ରାୟ 16 ହଜାର ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ମହାଅଧିବେଶନରେ ସାମିଲ ହେବା ପାଇଁ ରାୟପୁର ଅଭିମୁଖେ ବାହାରିଛନ୍ତି ଓଡିଶା କଂଗ୍ରେସ ନେତାଗଣ । ଜଟଣୀ ବିଧାୟକ ସୁର ରାଉତରାୟ, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି, ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ପିସିସି ସଭ୍ୟମାନେ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସମସ୍ତଙ୍କୁ ଦେଖିବାକୁ ମିଳିଛି । ଛତିଶଗଡ ରାଜଧାନୀ ନୂଆ ରାୟପୁରରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଜାତୀୟ କାର୍ଯ୍ୟକାରିଣୀରେ ଦେଶର ପ୍ରାୟ 16 ହଜାର ପ୍ରତିନିଧି ଏକାଠି ହେବେ ।
ଓଡିଶାରୁ ପ୍ରାୟ 70 ଜଣ ଏଆଇସିସି ସଭ୍ୟ ଏବଂ 400ରୁ ଅଧିକ ପିସିସି ସଭ୍ୟ ଅଧିବେଶନରେ ସାମିଲ ହେବ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କଂଗ୍ରେସ ପାଇଁ ଏହି କାର୍ଯ୍ୟକାରିଣୀ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । କଂଗ୍ରେସ କିଭଳି ଜନସାଧାରଣଙ୍କ ପାଖରେ ବିଶ୍ବାସ ଭାଜନ ହେବ ,ଦଳୀୟ ସଂଗଠନକୁ ଅଧିକ ସୁଦୃଢ କରାଯିବ ସେ ନେଇ ଅଧିବେଶନରେ ରୋଡମ୍ୟାପ ପ୍ରସ୍ତୁତ ହେବ ।
କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ । ସାଧାରଣ ନିର୍ବାଚନ ପାଇଁ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଚର୍ଚ୍ଚା ହେଉଛି । ରାଜନୈତିକ କାର୍ଯ୍ୟକ୍ରମ, ଆର୍ଥିକ ନୀତି,ସାମାଜିକ ଦାୟିତ୍ବ, ବୈଦେଶିକ ବ୍ୟାପାର ବିଷୟ ଉପରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ବେରୋଜଗାରୀ, ଦରଦାମ ବୃଦ୍ଧି, କୃଷି ଓ କୃଷକର ଉନ୍ନତୀ ପାଇଁ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବିଧାୟକ ସୁର ରାଉତରାୟ କହିଛନ୍ତି, ''ରାହୁଲ ଗାନ୍ଧୀଙ୍କ ଭାରତଯୋଡ ପଦଯାତ୍ରା କଂଗ୍ରେସ ପାଇଁ ନୂଆ ସମ୍ଭାବନା ଆଣି ଦେଇଛି । ଲୋକେ କଂଗ୍ରେସକୁ ବିଶ୍ବାସ କରିବାକୁ ଲାଗିଲେଣି। ରାୟପୁରରେ ଜାତୀୟ କାର୍ଯ୍ୟକାରିଣୀରେ ଉପରୋକ୍ତ ବିଷୟରେ ଆଲୋଚନା ହେବ । କଂଗ୍ରେସ ଅଧିକ ସସକ୍ତ ହେବା ପାଇଁ ପ୍ଲାନ ପ୍ରସ୍ତୁତ କରାଯିବ । ଆଗକୁ କେନ୍ଦ୍ରରେ କଂଗ୍ରେସ ଏବଂ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବ।''
ଏହା ବି ପଢନ୍ତୁ...ଆଜି ରାୟପୁରରେ କଂଗ୍ରେସର ମହାଧିବେଶନ, ରୋଡମ୍ୟାପ ପ୍ରସ୍ତୁତ କରିବ ଦଳ
ଏଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ମଲ୍ଲିକାର୍ଜୁନ ଖଡଗେଙ୍କ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ଦୀର୍ଘ 19 ବର୍ଷ ପରେ ଅଣଗାନ୍ଧୀ ପରିବାରରୁ ପ୍ରଥମ କରି କଂଗ୍ରେସ ଅଧ୍ୟକ୍ଷ ହୋଇଥିବା ମଳିକାର୍ଜୁନ ଖଡଗେଙ୍କ ପାଇଁ ଏହି ଜାତୀୟ କାର୍ଯ୍ୟକାରିଣୀ ଖୁବ ଗୁରୁତ୍ବ ବହନ କରିବ । ଖଡଗେଙ୍କ ଦକ୍ଷତା ଏବଂ ଅଭିକ୍ଷତା ଏବଂ ବଳିଷ୍ଠ ନେତୃତ୍ହ କଂଗ୍ରେସକୁ ଏକ ନୂଆ ଦିଗ ଦେବା ନେଇ ଆଶା ଉଜ୍ଜୀବିତ ହୋଇଛି ।
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଖଡଗେଙ୍କ ପାଇଁ ଏହି କାର୍ଯ୍ୟକାରିଣୀ ଅଗ୍ନିପରୀକ୍ଷା ସଦୃଶ । ସେପଟେ ରାହୁଲ ଗାନ୍ଧୀଙ୍କ "ଭାରତ ଯୋଡୋ" ପଦଯାତ୍ରା ଏକ ଅଭୂତପୂର୍ବ ସଫଳତା ହାସଲ କରିଥିବା ଚର୍ଚ୍ଚା ହେଉଛି । ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଦଳ 2024 ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ । ଆଜି ଦଳର ପରିଚାଳନା କମିଟି ସଦସ୍ୟଙ୍କ ନାମ ଘୋଷଣା ହୋଇପାରେ ।
ଇଟିଭି ଭାରତ, ଭୁବନେଶ୍ବର