ଭୁବନେଶ୍ବର: ବିଶ୍ବକର୍ମା ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ କୌଳିକ ବୃତ୍ତିଧାରୀଙ୍କୁ ସ୍ବତନ୍ତ୍ର ପରିଚୟ ଦେବାକୁ ଲକ୍ଷ୍ୟ ରଖାଯାଇଛି । ପିଏମ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ଓ ବିଜେପି ଟାର୍ଗେଟ କରି ବର୍ଷିଛନ୍ତି କଂଗ୍ରେସ ବିଧାୟକ । ବିଶ୍ବକର୍ମା ଯୋଜନା ଧୂଆଁବାଣ ଏସବୁ ପ୍ରହସନ ଭୋଟ ହାତେଇବାକୁ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ମୋଦି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ପିଏମ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ ନେଇ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଟାର୍ଗେଟ କରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ''ଏତେ ଦିନ ଯାଏ କେଉଁଠି ଥିଲ । ଏହି ଯୋଜନାରେ ନିର୍ବାଚନ ରାଜନିତୀର ଗନ୍ଧ ବାରି ହୋଇପଡୁଛି । ନିର୍ବାଚନ ପାଖେଇ ଆସିଲା ବୋଲି ମନେ ପଡିଲା । ଭୋଟରଙ୍କୁ ଭୂଆଁ ବୁଲାଇବାକୁ ଏହି ଯୋଜନା ହୋଇଛି । ଏସବୁ ପ୍ରହସନ । ଏହି ଯୋଜନା ଧୂଆଁବାଣ । 4 ମାସ ଭୋଟ ଏବେ ଯୋଜନା କରୁଛି । କାହିଁକି ଧୂଆଁବାଣ ମାରୁଛ । ରାଜ୍ୟ ସରକାର ଯେପରି ଧୂଆଁବାଣ ମାରୁଛନ୍ତି ମୋଦି ସରକାର ସେହିଭଳି କରିଛନ୍ତି । ଯୋଜନା, ଲୋନ ଲୋକଙ୍କ ପାଖରେ ପହଞ୍ଚିବାକୁ 6 ମାସ ଲାଗିବ ନିର୍ବାଚନ ଆଉ 4 ମାସ କାହିଁକି ଧୂଆଁବାଣ ମାରୁଛ ସବୁ ପ୍ରହସନ। ନବୀନ ଯେପରି ପ୍ରହସନ କରିଛନ୍ତି ମୋଦି ସରକାର ମଧ୍ୟ ପ୍ରହସନ କରୁଛନ୍ତି । ''
ସେହିପରି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, '' ଆଗରୁ ରାଜ୍ୟ ସରକାର ବହୁ ଲୋକାଭିମୁଖୀ ଯୋଜନା କରିଛନ୍ତି । ଅଣକୁଶଳୀ କାରିଗରଙ୍କ ପାଇଁ ବହୁ ଯୋଜନା କରାଯାଇଛି । ସେମାନଙ୍କୁ ଆର୍ଥିକ ସହାୟତା ଦେବା ନେଇ ରାଜ୍ୟ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ସରକାର ଏବେ ଯୋଜନା ଆଣିଲେ ଆଣନ୍ତୁ ଆମର କିଛି କହିବାର ନାହିଁ ।’’
ପ୍ରକାଶ ଥାଉ କି, ବିଶ୍ବକର୍ମା ପୂଜା ଅବସରରେ ନୂଆଦିଲ୍ଲୀସ୍ଥିତ ଯଶୋଭୂମିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଥିଲେ । ଏଥିରେ କୌଳିକ ବୃତ୍ତିଧାରୀଙ୍କୁ ସ୍ବତନ୍ତ୍ର ପରିଚୟ ଦେବା ଉପରେ ଗୁରୁତ୍ବ ଦିଆଯାଇଛି । ଯୋଜନାର ଶୁଭାରମ୍ଭ ସହ 18 ଜଣଙ୍କୁ ପିଏମ ବିଶ୍ବକର୍ମା ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଯୋଜନାରେ ଆଗାମୀ 5 ବର୍ଷରେ 13 ହଜାର କୋଟି ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିରେ କୌଳିକ ବୃତ୍ତିଧାରୀଙ୍କୁ 5 ପ୍ରତିଶତ ସୁଧାହାରରେ 2 ଲକ୍ଷ ଯାଏ ଋଣ ମିଳିବ । ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ।
ଇଟିଭି ଭାରତ, ଭୁବନେଶ୍ବର